ଗାନ୍ଧୀନଗର:ସାଧାରଣତଃ ଗାଁ କହିଲେ ଏକ କାଦୁଅ ମାଟି ରାସ୍ତାର ଚିତ୍ର ଆସେ । ଗାଁରେ ପ୍ରାୟତଃ ଲୋକେ ମୌଳିକ ସମସ୍ୟା ସହିତ ସଂଘର୍ଷ କରୁଥାନ୍ତି । ହେଲେ ଗୁଜୁରାଟରେ ରହିଛି କିଛି ଗାଁ ଯାହାକି ସହରର ଭ୍ରମ ସୃଷ୍ଟି କରୁଛି । ଗାଁରେ ପାଖାପାଖି ୬ହଜାରରୁ ଊର୍ଦ୍ଧ୍ବ ଲୋକ ରହୁଥିଲେ ମଧ୍ୟ ଏହାର ପରିବେଶଠୁ ଆରମ୍ଭ କରି ସୁବିଧା କୌଣସି ସହରଠୁ କମ ନୁହେଁ । ଏଥିଲାଗି ରାଜ୍ୟ ସରକାର ଏହି ଗ୍ରାମଗୁଡ଼ିକୁ ଦେଇଛନ୍ତି ମଡେଲ ଭିଲେଜର ମାନ୍ୟତା । ଗୁଜୁରାଟ ସାବରକନ୍ଥା ଜିଲ୍ଲାରେ ରହିଛି ଏହି ଗ୍ରାମ । ଏଠାରେ ସହରବାସୀଙ୍କ ପରି ସମସ୍ତ ସୁବିଧା ପାଇଥାନ୍ତି ଗାଁ ଲୋକେ ।
ପୁନସାରି ଗାଁର ମୁଖିଆ ହିମାଂଶୁ ପଟେଲ ଗାଁର ଭିତ୍ତିଭୂମିକୁ ନେଇ ବେଶ ଗର୍ବ ଅନୁଭବ କରିଥାନ୍ତି । ଏହି ଗ୍ରାମରେ ୨୪ ଘଣ୍ଟିଆ ବିଦ୍ୟୁତ ସେବା ସହ ସ୍ବଚ୍ଛ ପାଣି ଓ ଇଣ୍ଟରନେଟ କନକ୍ଟେଭିଟି ମଧ୍ୟ ରହିଛି । ପୁନସାରି ଗାଁ ସମତେ ଗୁଜୁରାଟରେ ରହିଛି ଏପରି ୬ଟି ଗାଁ । ମେହସାନା ଜିଲ୍ଲାର ମୋଧେରା ଗ୍ରାମରେ ସର୍ବଦା ସୌର ଶକ୍ତି ଯୋଗାଇ ଦିଆଯାଉଛି । ସେପଟେ କଚ୍ଛର କୁନାରିୟା ଗ୍ରାମ ସମ୍ପୂର୍ଣ୍ଣ ଭାବେ କୋଇଲା ଉପରେ ନିର୍ଭର କରୁଥିଲା । ହେଲେ ଏବେ କୋଇଲାକୁ ତ୍ୟାଗ କରିଛନ୍ତି ଏଠାକାର ଲୋକେ । ରନ୍ଧନ ଲାଗି ଅନ୍ୟ ବିକଳ୍ପ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଏପରି ସହରାଞ୍ଚଳ ପରି ସୁବିଧା ରହିଥିବାରୁ ଗ୍ରାମକୁ ମଡେଲ ଭିଲେଜ ଘୋଷଣା କରିଛନ୍ତି ସରକାର ।
ଆସନ୍ତୁ ଜାଣିବା ସେହି ୬ ସ୍ମାର୍ଟ ଭିଲେଜ ସମ୍ପର୍କରେ...
ପୁନସାରା ଗ୍ରାମକୁ 'ଡିଜିଟାଲ ଭିଲେଜ' ବୋଲି କୁହାଯାଏ । ଗତ ୨୦୧୧ ମସିହାରେ ଏହି ଗ୍ରାମର ସରପଞ୍ମଚ ହିଂମାଶୁ ପଟେଲ ଗ୍ରାମର ରୂପାନ୍ତରୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨୦୧୫ରେ ହିଂମାଶୁକୁ ଦେଶର ସର୍ବଶ୍ରେଷ୍ଠ ସରପଞ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଗ୍ରାମରେ ଅଙ୍ଗନବାଡିଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି । ଏହାସହ ଗ୍ରାମରେ ସିସିଟିଭି କ୍ୟାମେରା ସମେତ ଗ୍ରାମକୁ ସ୍ବଚ୍ଛ, କଂକ୍ରିଟ ରୋଡ, ୱାଇ-ଫାଇ ସୁବିଧା ଯୋଗାଇ ଦିଆଯାଇଛି । ଡିଜିଟାଲ ଟେକ୍ନୋଲୋଜି ସହିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି । ଗ୍ରାମର ପ୍ରତିଟି ଘରେ କମ୍ପ୍ୟୁଟର, ମୋବାଇଲରେ ରହିଛି । ଗ୍ରାମରେ ଚୋରି ମଧ୍ୟ ହୁଏ ନାହିଁ ବୋଲି ଜଣାପଡିଛି ।
ସାବରକନ୍ଥା ଜିଲ୍ଲାର ଜେଠିପୁରା ଗ୍ରାମରେ ପ୍ରାୟ ୧୩୦୦ ଲୋକ ବାସ କରନ୍ତି । ଏହା ଗ୍ରାମକୁ 'ସମାରସ ଭିଲେଜ' ବୋଲି କୁହାଯାଏ । ଏହି ଗ୍ରାମରେ ଗତ ୧୫ବର୍ଷ ଧରି ଗ୍ରାମ ପଞ୍ଚାୟତ ନିର୍ବାଚନ ହୋଇନାହିଁ । ଏଠାରେ କୌଣସି ରାଜନୈତିକ ବିବାଦ ମଧ୍ୟ ଦେଖିବାକୁ ମିଳେନାହିଁ । ଗ୍ରାମରେ ରହିଥିବା ମଣ୍ଡଳୀ ନିଜର ଗାଁ ମୁଖିଆ ବାଛିଥାନ୍ତି । ଏଥିଲାଗି ଗାଁକୁ ଜାତୀୟ ପୁରସ୍କାର ମଧ୍ୟ ମିଳିଛି । ଏଠାରେ କୌଣସି ସଫେଇ କର୍ମଚାରୀ ନଥିଲେ ମଧ୍ୟ ଗାଁର ପରିମାଳ ବ୍ୟବସ୍ଥା ଉଚ୍ଚକୋଟୀର । ଏଠାରେ ମାତ୍ର ୫୦ଟଙ୍କାରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଏ । ଗ୍ରାମରେ ସମସ୍ତ ଲୋକ ଶୌଚାଳୟ ବ୍ୟବହାର କରନ୍ତି ଓ ଗ୍ରାମରେ ରହିଛି ୩୨୦୦ ଗଛ ।