ନୂଆଦିଲ୍ଲୀ: ଅଗଷ୍ଟ 15 ପାଇଁ ଦିଲ୍ଲୀ ଆକାଶରେ ଉଡିବନି ଅଣତାଲିକାଭୁକ୍ତ ବିମାନ । ଏନେଇ ନିର୍ଦ୍ଦେଶନାମା ଜାରି କଲା ଦିଲ୍ଲୀ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାସନାଲ ବିମାନ ବନ୍ଦର । ନୋଟିସ ଅନୁସାରେ ସକାଳ 6 ଟାରୁ ସକାଳ 10ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ 4ଟାରୁ ସନ୍ଧ୍ୟା 7ଟା ପର୍ଯ୍ଯନ୍ତ ବିମାନର ଉଡାଣ ଓ ଅବତରଣରେ ରୋକ ଲଗାଯାଇଛି ।
ଏହି ସମୟରେ ତାଲିକାଭୁକ୍ତ ବିମାନ ସମେତ ଭାରତୀୟ ବାୟୁସେନା, ବିଏସଏଫ ଓ ସେନା ନିୟୋଜିତ ବିମାନର ଉଡାଣ ଓ ଅବତରଣକୁ ଅନୁମତି ମିଳିଛି । ଏହା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଏହି କଟକଣାରୁ ବାଦ ଦିଆଯାଇଛି । ଦିନକ ପରେ ସ୍ବାଧୀନତା ଦିବସ ଥିବାବେଳେ ଲାଲକିଲ୍ଲା ଅଞ୍ଚଳରେ ଆସନ୍ତା 15 ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି । ଦିଲ୍ଲୀର ନେତାଜୀ ସୁବାଷ ମାର୍ଗ, ଏସପି ମୁଖାର୍ଜୀ ମାର୍ଗ, ଚାନ୍ଦନିଚୌକ ରୋଡ, ନିଶାଦରାଜ ମାର୍ଗ, ଲୋଥିଆନ ରୋଡ ଓ ଏସପ୍ଲାନେଡ ଆଦି 8ଟି ପ୍ରମୁଖ ରୋଡରେ ଭୋର 4ଟାରୁ ସକାଳ 10ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଯାତାୟତରେ ବାରଣ କରାଯାଇଛି ।