ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦ୍ବୀପ ସିଂ ନିଜ୍ଜାର ହତ୍ୟା ପରେ ଭାରତ-କାନାଡା ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ କୂଟନୈତିକ ସମ୍ପର୍କ ଏବେ ଚରମ ତିକ୍ତତାପୂର୍ଣ୍ଣ ସ୍ତରରେ ରହିଛି । ଏହାରି ମଧ୍ୟରେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସୁଧାରିବାର ଏକ ଦିଗ ଉପରେ ଗୁରୁତ୍ବାରୋପ କରିଛନ୍ତି । ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ପାଇଁ ଏବେ ବି ଏକ ସ୍ଥାନ ଅଛି । ମାତ୍ର ଦୁଇ ଦେଶ ଏହି ପ୍ରସଙ୍ଗରେ ଆଭିମୁଖ୍ୟରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ରହିଛି । ଭାରତ ସମେତ ଅନେକ ଦେଶରେ ଅଭିବ୍ୟକ୍ତିର ସ୍ବାଧୀନତା ରହିଛି । ମାତ୍ର ଏହା ଆତଙ୍କବାଦ ଓ ବିଚ୍ଛିନ୍ନତାବାଦ ପାଇଁ ଓକିଲାତିର ଲାଇସେନ୍ସ ହୋଇପାରିବ ନାହିଁ ବୋଲି ଜୟଶଙ୍କର କହିଛନ୍ତି ।
ଆଜି ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜୟଶଙ୍କର କହିଛନ୍ତି,‘‘ଭାରତ ସମେତ ଏକାଧିକ ଦେଶରେ ଅଭିବ୍ୟକ୍ତିର ସ୍ବାଧୀନତା ରହିଛି । କିନ୍ତୁ ହିଂସା ଏବଂ ଧମକକୁ ପ୍ରୋତ୍ସାହନ ଦେବା କିମ୍ବା ବିଚ୍ଛିନ୍ନତାବାଦ ଓ ଆତଙ୍କବାଦ ପ୍ରଚାର ପାଇଁ ଏହାକୁ ଲାଇସେନ୍ସ ଭାବେ ବ୍ୟବହାର କରାଯାଇ ପାରିବନାହିଁ । ଏଭଳି କାର୍ଯ୍ୟକଳାପକୁ ସ୍ୱାଧୀନତା ନାମରେ ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଲାଇସେନ୍ସ ଭାବେ ବ୍ୟବହାର କରାଯାଉଛି । ଏହି କାରଣରୁ ଭାରତ ଏପରି କିଛି ସମସ୍ୟାର ସମ୍ମୁଖୀନ ହେଉଛି ।
‘‘ଏବେ ମୁଁ ଅନୁଭବ କରୁଛି ଯେ, ଭାରତ କାନାଡା ସମ୍ପର୍କ ପାଇଁ ଏବେ ମଧ୍ୟ ସ୍ଥାନ ଅଛି । ମୋର କାନାଡା ପ୍ରତିପକ୍ଷ ମଧ୍ୟ ତାହା ହିଁ ପୂର୍ବରୁ କହିସାରିଛନ୍ତି । ଆମେ ପରସ୍ପର ସହ ସମ୍ପର୍କରେ ମଧ୍ୟ ରହିଛୁ । ମୁଁ ଆଶାବାଦୀ ଆମେ ଏହି ଦିଗରେ କୌଣସି ଏକ ଫଳପ୍ରଦ ରାସ୍ତା ବାହର କରିବାରେ ସଫଳ ହେବୁ । ଏ ବିଷୟରେ କାନାଡା ସହ କଥା ହେବାକୁ ଭାରତ ଅପେକ୍ଷା କରିଛି । ମାତ୍ର ଏହା କେବେ ହୋଇପାରିବ ନାହିଁ, ଯଦି ପ୍ରତିପକ୍ଷ ଭାରତର ସ୍ବାର୍ଥ ଓ ସମ୍ବେଦନଶୀଳତାକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିଦିଏ । ମୁଁ ଭାବୁଛି ଏହି ପ୍ରସଙ୍ଗରେ ଆମକୁ ଏକ ସନ୍ତୁଳିତ ଆଭିମୁଖ୍ୟ ଆବଶ୍ୟକ ।’’