ମୁମ୍ବାଇ: ମହାରାଷ୍ଟ୍ରର ଜିନ୍ତି ନାକା ଅଞ୍ଚଳ ନିକଟସ୍ଥ ଫାଲଟନ ମୁନିସିପାଲିଟି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଲୋମ ଟାଙ୍କୁରା ଦୃଶ୍ୟ । ଫାଲଟନଠାରେ ଥିବା ଏକ ସଂରକ୍ଷିତ ଶ୍ମଶାନଠାରେ ଜଣେ ବ୍ୟକ୍ତିକୁ କୋଭିଡ ଆକ୍ରାନ୍ତଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଖାଉଥିବାର ଦେଖିବାକୁ ମିଳିଛି । ତେବେ ଉକ୍ତ ବ୍ୟକ୍ତିର ମାନସିକ ସ୍ଥିତି ଠିକ ନଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଛି ।
ଫାଲଟନ ଅଞ୍ଚଳର କୋଲାକି ଗ୍ରାମପଞ୍ଚାୟତରେ ଥିବା ଏକ ଶ୍ମଶାନରେ ଶୁକ୍ରବାର ସକାଳ ପ୍ରାୟ 6ଟା ସମୟରେ ଏହି ଅଜବ ତଥା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଶ୍ମଶାନରେ କୋଭିଡ ଆକ୍ରାନ୍ତଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପାଖରେ ଏକ ବ୍ୟକ୍ତି ବସିଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ପ୍ରଶାସନକୁ ଖବର ଦେଇଥିଲେ । ଖବର ପାଇବା ମାତ୍ରେ ତତକ୍ଷଣାତ ମ୍ୟୁନିସିପାଲ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ ।