ପ୍ରାୟତଃ ଏହା 2011ର ପୁନରାବୃତ୍ତି ସଦୃଶ !
ପଶ୍ଚିମବଙ୍ଗ ନିର୍ବାଚନର କିଛିଦିନ ପୂର୍ବରୁ ପୁଣି ଚର୍ଚ୍ଚାର ପରିସରକୁ ଫେରିଛି ଶିଳ୍ପ ପ୍ରସଙ୍ଗ । ଏଥର ବିଜେପି ସୌଜନ୍ୟରୁ । ଅତୀତରେ, 2011 ମସିହାରେ ଏହା ହିଁ ଥିଲା, ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଓ ମମତା ବାନାର୍ଜୀଙ୍କ ମଧ୍ୟରେ ସଂଘଟିତ ତୀବ୍ର ପ୍ରତିଯୋଗିତାର ମୂଳକଥା । ଏବେ ଏହାକୁ ନେଇ ନରେନ୍ଦ୍ର ମୋଦି ଓ ମମତା ବାନାର୍ଜୀଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି । ଏବଂ ନିଜ ନିଜର ଲକ୍ଷ୍ୟଭେଦ ପ୍ରୟାସରେ ରଣାଙ୍ଗନ ରୂପେ ହୁଗୁଳିକୁ ବାଛି ନେଇଛନ୍ତି ଉଭୟ ତୃଣମୂଳ କଂଗ୍ରେସ ଓ ବିଜେପି।
ସେଇ ହୁଗୁଳି ଜିଲ୍ଲା, ଯେଉଁଥିରେ ସିଙ୍ଗୁର ଅବସ୍ଥିତ । ଟାଟା ମୋଟର୍ସ ପଶ୍ଟିମବଙ୍ଗ ଛାଡ଼ି ଚାଲିଯିବାର 11 ବର୍ଷ ବିତିଯାଇଥିଲେ ହେଁ ବଙ୍ଗଳାର ପରିଚିତିରେ ଏବେ ବି ଏକ ଶିଳ୍ପ-ବିରୋଧୀ ରାଜ୍ୟର ସଂଙ୍କେତ ବିଦ୍ୟମାନ । ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ଶିଳ୍ପ ସମ୍ମିଳନୀର ପ୍ରତିଟି ସଂସ୍କରଣରେ ନିର୍ମାଣ ଶିଳ୍ପ ପ୍ରତି ବଙ୍ଗଳାର ବିମୁଖତାକୁ ସୂଚାଉଥିବା ନକାରାତ୍ମକ ଛାପ ଆଜିଯାଏଁ ଅପସୃତ ହୋଇପାରିନାହିଁ ।
ଗତ 10 ବର୍ଷ ଭିତରେ ମମତା ବାନାର୍ଜୀ ସରକାରଙ୍କ ଦ୍ବାରା ଆୟୋଜିତ ‘ବେଙ୍ଗଲ ଗ୍ଲୋବାଲ ବିଜନେସ୍ ସମିଟ୍’ ଶୀର୍ଷକ ବିଭିନ୍ନ ଶିଳ୍ପ ସମ୍ମିଳନୀ ପରେ ମଧ୍ୟ ଶିଳ୍ପାୟନ କ୍ଷେତ୍ରରେ ଅଗ୍ରଗତିର କୌଣସି ଚିହ୍ନ ପରିଲକ୍ଷିତ ହୋଇନାହିଁ । ଯଦିଓ ବିଭିନ୍ନ ସରକାରୀ ସଂଖ୍ୟା ଓ ପରିସଂଖ୍ୟାନ ଭିତ୍ତିକ ତଥ୍ୟ ଆଧାରରେ ରାଜ୍ୟରେ ଏକ ଶିଳ୍ପ ଅନୁକୂଳ ପରିବେଶ ରହିଛି ବୋଲି ଉପସ୍ଥାପନ କରିବାକୁ ସରକାର ଆକୁଳ ପ୍ରୟାସ କରିଆସୁଛନ୍ତି, ତଥାପି ଏହି ସବୁ ତଥ୍ୟର ପ୍ରାମାଣିକତା ସଂପର୍କରେ ସରକାରୀ ମହଲରୁ ହିଁ ପ୍ରଶ୍ନ ସମ୍ବଳିତ ଅନେକ ସ୍ବର ଶୁଣିବାକୁ ମିଳିଛି ।
ବିଜେପି ସୌଜନ୍ୟରୁ, ଏବେ ପୁଣି ବଙ୍ଗଳାକୁ ଫେରିଛି ସେହି ଶିଳ୍ପାୟନର ପଥ ଅବରୋଧ ପ୍ରସଙ୍ଗ । ସାରା ରାଜ୍ୟରେ ମୋଦି ଏହି ପ୍ରସଙ୍ଗକୁ ଆକ୍ଷରିକ ଅର୍ଥରେ ଉପସ୍ଥାପନ କରୁଛନ୍ତି ଏବଂ ‘ପୋରିବର୍ତ୍ତନେର ପୋରିବର୍ତ୍ତନ’ (ପରିବର୍ତ୍ତନର ପରିବର୍ତ୍ତନ) ସ୍ଲୋଗାନ ଦେବାରେ ଲାଗିଛନ୍ତି । ତାଙ୍କର ନିର୍ବାଚନୀ ପ୍ରତିଶ୍ରୁତି ହେଲା ଯେ, ରାଜ୍ୟରେ ଯଦି ବିଜେପି ଶାସନ କ୍ଷମତାକୁ ଆସେ, ତେବେ ବଙ୍ଗଳାରେ ଶିଳ୍ପାୟନ କ୍ଷେତ୍ରରେ ଏକ ଅନୁକୂଳ ପରିବେଶ ପୁନସ୍ଥାପିତ ହେବ, ଯୁବପିଢ଼ୀକୁ ଚାକିରି ମିଳିବ ଏବଂ ଏକ ନୂତନ ବଙ୍ଗଳାର ଅଭ୍ୟୁଦୟ ଘଟିବ ।
ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ହିଁ, ସେ ରାଜ୍ୟରେ ଏମିତି ଜଣେ ମୁଖ୍ୟମନ୍ତ୍ରୀଙ୍କ ରୂପରେ ଉଭା ହୋଇଥିଲେ, ଯିଏ ନବୀକୃତ ଶକ୍ତି ଓ ସାମର୍ଥ୍ୟର ପରିଚୟ ଦେଇ ରାଜ୍ୟରେ ପୁଞ୍ଜିନିବେଶ ନିମନ୍ତେ ସମସ୍ତ ପ୍ରୟାସ କରିଥିଲେ । ବଙ୍ଗଳାର ଶିଳ୍ପ କ୍ଷେତ୍ରକୁ ଆଗେଇ ନେବା ପାଇଁ ଭଟ୍ଟାଚାର୍ଯ୍ୟ ବିଭିନ୍ନ ରାଜ୍ୟକୁ ଏବଂ ବିଦେଶକୁ ଘନଘନ ଗସ୍ତ କରିଥିଲେ । ସେ ସମୟରେ ପଶ୍ଚିମ ବଙ୍ଗର ‘ରାଇଟର୍ସ ବିଲ୍ଡିଙ୍ଗ’ (ତତ୍କାଳୀନ ସଚିବାଳୟ)ରେ କେବଳ ଦୁଇଟି ଶବ୍ଦ ଗୁଞ୍ଜରିତ ହେଉଥିଲା- ଶିଳ୍ପ ଏବଂ ପୁଞ୍ଜିନିବେଶ ।
କିନ୍ତୁ, ବାସ୍ତବିକତା ଥିଲା ସଂପୂର୍ଣ୍ଣ ଭିନ୍ନ । ଭଟ୍ଟାଚାର୍ଯ୍ୟଙ୍କ ସ୍ବପ୍ନ ଆଦୌ ସାକାର ହୋଇପାରିଲା ନାହିଁ । କୌଣସି ପ୍ରମୁଖ ଶିଳ୍ପ ସଂସ୍ଥା ଆସିଲେ ନାହିଁ । ଅଧିକନ୍ତୁ, ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ହିଁ ସିଙ୍ଗୁର ଓ ନନ୍ଦିଗ୍ରାମର ଅପବାଦ ମୁଣ୍ଡାଇବାକୁ ପଡ଼ିଲା ଏବଂ କ୍ରମଶଃ ସେ ଦୃଶ୍ୟପଟ୍ଟରୁ ଉଭେଇ ଯାଇ ବିସ୍ମୃତିରେ ରହିଗଲେ । ଅନୁରୂପ ଭାବେ, ବାମ ସାମ୍ମୁଖ୍ୟ ମଧ୍ୟ ବଙ୍ଗଳାର ରାଜନୈତିକ ଇତିହାସର ଏକ ବିସ୍ମୃତ ଅଧ୍ୟାୟରେ ପରିଣତ ହେବାରେ ଲାଗିଲା ।
ବଙ୍ଗଳାରେ ବାମପନ୍ଥୀଙ୍କ ମଥାରେ ଲାଗିଥିବା ଶିଳ୍ପ-ବିରୋଧୀ କଳଙ୍କକୁ ଲିଭାଇ ଦେବାକୁ ଚାହୁଁଥିଲେ ଭଟ୍ଟାଚାର୍ଯ୍ୟ । ସେ ଚାହୁଁଥିଲେ ଯେ ‘କୃଷି ଆମର ଭିତ୍ତି ଏବଂ ଶିଳ୍ପ ଆମର ଭବିଷ୍ୟତ’ ବୋଲି ଲୋକମାନେ ଏବଂ ତାଙ୍କ ନିଜ ଦଳ ବୁଝିନେବା ଦରକାର । ହେଲେ ସେ ବିଫଳ ହେଲେ । ବାସ୍ତବରେ, ତାଙ୍କର ଏହି ପ୍ରୟାସର ବିପରୀତ ଫଳ ମିଳିଲା ଏବଂ ଅନେକ କହନ୍ତି ଯେ ଏକ ‘ଲାଲ’ ଗୋଲକଧନ୍ଦାରେ ପଡ଼ିଥିବା ରାଜ୍ୟର ସେନାପତି ହୋଇଥିଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ।