ଓଡିଶା

odisha

ETV Bharat / bharat

ସଂରକ୍ଷଣର ଲକ୍ଷ୍ମଣରେଖା - maratha reservations

ସୁପ୍ରିମକୋର୍ଟ ଏକ ସମ୍ବେଦନଶୀଳ ରାୟ ଶୁଣାଇ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ମରାଠା ସମୁଦାୟକୁ ସଂରକ୍ଷଣ ଦେବା ପାଇଁ ମହାରାଷ୍ଟ୍ର ସରକାର ପ୍ରଣୟନ କରିଥିବା ଆଇନକୁ ରଦ୍ଦ କରି ଦେଇଛନ୍ତି । ଅଧିକ ପଢନ୍ତୁ...

ସଂରକ୍ଷଣର ଲକ୍ଷ୍ମଣରେଖା
ସଂରକ୍ଷଣର ଲକ୍ଷ୍ମଣରେଖା

By

Published : May 7, 2021, 1:19 PM IST

ସୁପ୍ରିମକୋର୍ଟ ଏକ ସମ୍ବେଦନଶୀଳ ରାୟ ଶୁଣାଇ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ମରାଠା ସମୁଦାୟକୁ ସଂରକ୍ଷଣ ଦେବା ପାଇଁ ମହାରାଷ୍ଟ୍ର ସରକାର ପ୍ରଣୟନ କରିଥିବା ଆଇନକୁ ରଦ୍ଦ କରି ଦେଇଛନ୍ତି । କିଛି ଶିକ୍ଷାବିତ୍ ଏବଂ ସାମାଜିକ କର୍ମୀ ଉଠାଇଥିବା ଆପତ୍ତି ଅଭିଯୋଗ ପରେ ଏହି ପ୍ରସଙ୍ଗକୁ ନେଇ ଦୁଇ ବର୍ଷ ହେଲା ଅଦାଲତରେ ଆଇନଗତ ବିବାଦ ଲାଗି ରହିଥିଲା । 2019 ଜୁନ୍ ମାସରେ ବମ୍ବେ ହାଇକୋର୍ଟ ମାମଲାର ବିଚାର କରି ମହାରାଷ୍ଟ୍ର ସରକାରଙ୍କ ସପକ୍ଷରେ ରାୟ ଶୁଣାଇଥିଲେ, ହେଲେ ଗାଏକୱାଡ କମିଶନଙ୍କ ସୁପାରିଶ ଅନୁଯାୟୀ ଚାକିରି କ୍ଷେତ୍ରରେ ସଂରକ୍ଷଣ 13 ପ୍ରତିଶତ ଏବଂ ସରକାରୀ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ 12 ପ୍ରତିଶତକୁ କମାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ଶୁଣାଣି ବେଳେ ସୁପ୍ରିମ କୋର୍ଟ ପ୍ରଶ୍ନ କରିଛନ୍ତି ଯେ,“ଆଉ କେତେ ପିଢି ସଂରକ୍ଷଣ ବ୍ୟବସ୍ଥା ଜାରି ରହିବ?” କୋର୍ଟ ଦେଇଥିବା ଚୂଡାନ୍ତ ଆଦେଶରେ ଅନୁଭବ କରିଛନ୍ତି ଯେ, ମରାଠା ସଂରକ୍ଷଣ ସମାନତା ନୀତିର ଉଲ୍ଲଂଘନ କରୁଛି । ଏହାକୁ ଦୃଷ୍ଟିରେ ରଖି ମରାଠାମାନଙ୍କୁ ସାମାଜିକ ଓ ଶିକ୍ଷାଗତ କ୍ଷେତ୍ରରେ ପଛୁଆ ବିବେଚନା କରିବା ନେଇ ସରକାରଙ୍କ ନିକଟରେ କ୍ଷମତା ନାହିଁ ବୋଲି ଆବେଦନକାରୀଙ୍କ ଯୁକ୍ତି ସହିତ ସୁପ୍ରିମ କୋର୍ଟ ଏକମତ ହୋଇଛନ୍ତି ।

କୋର୍ଟ ଦେଇଥିବା ଆଦେଶରେ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଦିଆଯାଉଥିବା 10 ପ୍ରତିଶତ ସଂରକ୍ଷଣ ଏବଂ ମରାଠାମାନଙ୍କ ପାଇଁ ମହାରାଷ୍ଟ୍ର ସରକାର ଘୋଷଣା କରିଥିବା କୋଟା ବ୍ୟବସ୍ଥା ମଧ୍ୟରେ ଥିବା ପାର୍ଥକ୍ୟ ସ୍ପଷ୍ଟ ଭାବେ ବୁଝାଇ ଦେଇଛନ୍ତି । ସଂରକ୍ଷଣ ସୀମା 50 ପ୍ରତିଶତରୁ ଅଧିକ ହେବନାହିଁ ବୋଲି 1992ରେ ଇନ୍ଦିରା ସାହାନେ ଦେଇଥିବା ରାୟକୁ ଏଠାରେ ଉଲ୍ଲେଖ କରାଯିବାର କୌଣସି ଆବଶ୍ୟକତା ନଥିବା ଦର୍ଶାଇ କୋର୍ଟ ମାମଲାକୁ ଏକ ବୃହତ୍ତର ଖଣ୍ଡପୀଠକୁ ପଠାଇବା ଆବେଦନକୁ ମଧ୍ୟ ଅଗ୍ରାହ୍ୟ କରି ଦେଇଛନ୍ତି । ଏପରି ଆଦେଶ ଦେଇ ସର୍ବୋଚ୍ଚ ନ୍ୟାୟାଳୟ ଏ ସମ୍ପର୍କିତ ଅନେକ ପ୍ରସଙ୍ଗ ଉପରେ ତାଙ୍କ ମତ ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି । ମରାଠାଙ୍କ ପାଇଁ ସଂରକ୍ଷଣ ସୀମା 50 ପ୍ରତିଶତରୁ ଅଧିକ ହେବା ଭଳି ସ୍ଥିତି ସୃଷ୍ଟି କରିବା ଲାଗି ଗାଏକୱାଡ କମିଶନ କିମ୍ବା ହାଇକୋର୍ଟ କେହି ବି କେବେ କହିନାହାନ୍ତି ବୋଲି ମଧ୍ୟ ସୁପ୍ରିମ କୋର୍ଟ ଉଲ୍ଲେଖ କରିଛନ୍ତି, ଯାହା କି ସାରା ଦେଶପାଇଁ ଏକ ବାର୍ତ୍ତା ପହଞ୍ଚାଇବ ।

ସମ୍ବିଧାନରେ ସଂରକ୍ଷଣ ଯୋଗାଇ ଦେବାର ଯେଉଁ ବ୍ୟବସ୍ଥା ରହିଛି ତାହାର ମୁଳ ଲକ୍ଷ୍ୟ ହେଉଛି ସମାଜରେ ନିର୍ଯାତିତ ହୋଇ ଆସୁଥିବା ଦଳିତ ଓ ନିଷ୍ପେଷିତ ବର୍ଗର ଲୋକଙ୍କୁ ସାମୟିକ ଭାବେ ଏଭଳି ସୁବିଧା ଦେଇ ସେମାନଙ୍କୁ ସମାନ ଅଧିକାର ପ୍ରଦାନ କରିବା । ଏଥିପାଇଁ ଦୁର୍ବଳ ଶ୍ରେଣୀର ଲୋକଙ୍କ ମଧ୍ୟରେ ଉନ୍ନତି ଆଣିବା ଲାଗି ସମ୍ବିଧାନରେ ସଂରକ୍ଷଣ ବ୍ୟବସ୍ଥା ରହିଛି । ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର. ଆମ୍ବେଦକର କହିଥିଲେ ଯେ, 70 ପ୍ରତିଶତ ନିଯୁକ୍ତି ଓ ଶିକ୍ଷା ସୁବିଧା ସୁଯୋଗ କିଛିମାତ୍ର ଲୋକଙ୍କ ମଧ୍ୟରେ ସୀମି କରି ରଖିବା କ୍ଷମତାର ଦୂରୁପଯୋଗଠାରୁ କିଛି କମ୍ ନୁହେଁ । ବାସ୍ତବରେ ତାଙ୍କର ବୌଦ୍ଧିକ ପରାମର୍ଶର କ’ଣ ଘଟିଲା ? ସୁପ୍ରିମ କୋର୍ଟ ଯଦିଓ ଅନେକବାର କହିଛନ୍ତି ଯେ, ମୋଟ ସଂରକ୍ଷଣ 50 ପ୍ରତିଶତ ଟପିବା ଅନୁଚିତ୍ । ହେଲେ ଯେତେବେଳେ କୌଣସି ଶକ୍ତିଶାଳୀ ସାମାଜିକ ଗୋଷ୍ଠୀ ସଂରକ୍ଷଣର ଦାବି ଉଠାଇଛନ୍ତି ସେତେବେଳେ କୋଟା ରାଜନୀତି ଆଗକୁ ଆସିଛି ।

ସମସ୍ତ ଆଇନଗତ ପ୍ରତିବନ୍ଧକ ଓ ବିରୋଧକୁ ଏଡାଇ ଦେଇ ତାମିଲନାଡୁ 69 ପ୍ରତିଶତ ସଂରକ୍ଷଣ ପ୍ରଦାନ କରୁଛି । ଗୁଜୁରାଟ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା ପରି ରାଜ୍ୟଗୁଡ଼ିକ ମଧ୍ୟ ଅନୁରୂପ ପଥ ଅନୁସରଣ କରି ଚାଲିଛନ୍ତି । ନିକଟରେ ମେଘାଳୟ ତାହାର ମୋଟ ଜନସଂଖ୍ୟାର 85.9 ପ୍ରତିଶତ ଆଦିବାସୀ ଦର୍ଶାଇ ରାଜ୍ୟରେ 50 ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥାକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇଛି ।

ସୀମା ବାହାରେ ସଂରକ୍ଷଣ ବ୍ୟବସ୍ଥା କରାଗଲେ ଏହା ସମାଜକୁ ଅସମାନତା ଆଡକୁ ନେଇଯିବ ବୋଲି ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟର ସାମ୍ବିଧାନିକ ଖଣ୍ଡପୀଠ ରାଜ୍ୟ ସରକାରମାନଙ୍କୁ ସିଧାସଳଖ ପ୍ରଶ୍ନ ପଚାରିଛି । ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସୁବିଧା ଦେବା ପାଇଁ ସଂରକ୍ଷଣ କଣ ଏକମାତ୍ର ପନ୍ଥା କି ବୋଲି କୋର୍ଟ ପ୍ରଶ୍ନ କରିଛି । ଏ ସଂକ୍ରାନ୍ତରେ କୋର୍ଟ ଉଠାଇଥିବା ପ୍ରତିଟି ପ୍ରଶ୍ନ ଉପରେ ଚିନ୍ତା କରିବାର ବେଳ ଆସିଛି ।

ଯଦିଓ ସରକାରମାନେ ଅନେକ ଜାତିକୁ ପଛୁଆ ଜାତି ତାଲିକାରେ ସାମିଲ କରି ଦେଉଛନ୍ତି, କିନ୍ତୁ ସେମାନେ ସେସବୁ ଜାତିର ବିକାଶ ଦିଗରେ ବହୁତ କମ୍ କରୁଛନ୍ତି । ଏହା ନିରାଟ ସତ କଥା ଯେ, ଏଭଳି ଜାତିର ଲୋକଙ୍କ ପାଇଁ କୌଣସି ଯୋଜନା କାର୍ଯ୍ୟକାରୀ ହେଉନାହିଁ । ମରାଠା ସଂରକ୍ଷଣ ବିବାଦର ବିଚାର ବେଳେ କୋର୍ଟ ପରୋକ୍ଷରେ ନିର୍ଦ୍ଦିଷ୍ଟ ବର୍ଗଙ୍କ ପାଇଁ ଶିକ୍ଷାର ବିକାଶ ଦିଗରେ ସେମାନଙ୍କୁ ଧ୍ୟାନରେ ରଖି ଶିକ୍ଷାନୁଷ୍ଠାନ ସ୍ଥାପନ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । କୋର୍ଟଙ୍କର ଏହି ପରାମର୍ଶକୁ ରାଜ୍ୟ ସରକାରମାନେ ସମ୍ମାନ ଦେଇ କାର୍ଯ୍ୟକାର କରିବା ଉଚିତ । ଜାତି ଓ ଧର୍ମ ନିର୍ବିଶେଷରେ ଯେତେବେଳେ ସେମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ନିଜ ଗୋଡରେ ଛିଡା ହେବାକୁ ସମର୍ଥ ହୋଇପାରିବେ ସେତେବେଳେ ହିଁ ସଂରକ୍ଷଣ ବ୍ୟବସ୍ଥାରୁ ଦେଶକୁ ଫାଇଦା ମିଳିବ ।

ABOUT THE AUTHOR

...view details