ନୂଆଦିଲ୍ଲୀ: କାଶ୍ମୀର ପଣ୍ଡିତଙ୍କ ଉପରେ ଆଧାରିକ ଚଳଚ୍ଚିତ୍ର ଦ କାଶ୍ମୀର ପାଇଲ୍ସ ଫିଲ୍ମ ଏବେ ଧମାଲ ମଚାଇଛି । ଫିଲ୍ମ ରିଲିଜ ପରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି । ଏନେଇ ତାଙ୍କୁ Y ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି । ବିବେକଙ୍କୁ ଗୃହ ମନ୍ତ୍ରଣାଳୟ ଏହି ସୁରକ୍ଷା ଯୋଗାଇଥିବା ସରକାରୀ ସୁତ୍ରରୁ ଜଣାପଡିଛି ।
ଇଣ୍ଟେଲିଜେନ୍ସ ବ୍ୟୁରୋର ଥ୍ରେଟ୍ ପରସେପସନ୍ ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ ବିବେକଙ୍କୁ ଏହି ସୁରକ୍ଷା ପ୍ରଦାନ କରିଛି । ୱାଇ କ୍ୟାଟେଗୋରୀ ସୁରକ୍ଷାରେ ୮ ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଥାନ୍ତି । ଏଥିରେ ଯେଉଁ ଭିଆଇପିଙ୍କୁ ସୁରକ୍ଷା ଦିଆଯାଇଥାଏ, ତାଙ୍କ ଘରେ ମଧ୍ୟ ୫ ଜଣ ସଶସ୍ତ୍ର ଯବାନ ମୁତୟନ ହୋଇଥାନ୍ତି । ଏହାସହ ତିନୋଟି ସିଫ୍ଟରେ ତିନିଜଣ ପିଏସଓ ସୁରକ୍ଷା ପ୍ରଦାନ କରିଥାନ୍ତି । ବିବେକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଦର୍ଶକଙ୍କଠୁ ନେଇ ପ୍ରଧାନମନ୍ତ୍ରୀ ସମସ୍ତେ ପ୍ରଶଂସା କରିଛନ୍ତି । ବିଜେପି ସଂସଦୀୟ ବୈଠକରେ ଫିଲ୍ମକୁ ପ୍ରଶଂସା କରିଥିଲେ ମୋଦି । ଫିଲ୍ମ ଜରିଆରେ ସତ ସାମ୍ନାକୁ ଆସୁଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।