ନୂଆଦିଲ୍ଲୀ: 132 ବର୍ଷର ପରେ ସାମରିକ ଫାର୍ମ ବନ୍ଦ କରିବାକୁ ଘୋଷଣା କରିଛି ଭାରତୀୟ ସେନା । ଏହା ବୁଧବାର ଠାରୁ ବନ୍ଦ କରିବା ପାଇଁ ଆନୁଷ୍ଠାନିକ ଭାବେ ଘୋଷଣା କରିଛି ସେନା । ଭାରତରେ ସାମରିକ ଫାର୍ମ ଅମ୍ବାଲା, କୋଲକାତା, ଶ୍ରୀନଗର, ଆଗ୍ରା, ପଠାନକୋଟ, ଲକ୍ଷ୍ନୌ, ମିରଟ, ଆହ୍ଲାବାଦ ଏବଂ ଗୌହାଟୀ ଭଳି ସହରରେ ପ୍ରାୟ 20ହଜାର ଏକରରୁ ଅଧିକ ପ୍ରାଇମ ଡିଫେନ୍ସ ଜମିରେ ବ୍ୟାପିଛି। ବ୍ରିଟିଶ ସେନା ଦ୍ବାରା ଭାରତରେ ଏହାର ଶୁଭାରମ୍ଭ ହୋଇଥିଲା । ତତ୍କାଳୀନ ସୈନ୍ୟମାନଙ୍କୁ ସ୍ୱଚ୍ଛତା, ଉତ୍ତମ ଗାଇ କ୍ଷୀର ଉତ୍ପାଦନ ତଥା ଯୋଗାଣ ପାଇଁ ଏହି ଫାର୍ମ ଗୁଡିକ ପ୍ରତିଷ୍ଠା କରିଥିଲେ ବ୍ରିଟିଶ କର୍ତ୍ତୃପକ୍ଷ । ତେବେ ବର୍ତ୍ତମାନ ଏହାର ଆବଶ୍ୟକତା ନଥିବା ଦର୍ଶାଇ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ସେନା ।
ଲେଫ୍ଟନାଣ୍ଟ ଜେନେରାଲ୍ ଶଶାଙ୍କ ମିଶ୍ର କହିଛନ୍ତି ପ୍ରାୟ 132 ବର୍ଷ ସେବା କରିବା ପରେ ସାମରିକ ଫାର୍ମ ବନ୍ଦ କରୁଛୁ । ଏହା 1889 ମସିହାରେ 1 ଫେବୃଆରୀରେ ଆହ୍ଲାବାଦ ଓ ଅନ୍ୟ କିଛି ସ୍ଥାନରେ ସ୍ଥାପିତ ହୋଇଥିଲା । 1947 ମସିହାରେ ଦେଶରେ 130 ଟି ସାମରିକ ଫାର୍ମ ଥିଲା । ସେହି ସମୟରେ ଏହା ସେନା ପାଇଁ ଶ୍ବେତ ବିଳ୍ପବ ସୃଷ୍ଚି କରିଥିବା କହିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ୍ । ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଦୁଗ୍ଧ ଚାଷର ପ୍ରୋତ୍ସାହନରେ ସାମରିକ ଫାର୍ମର ଏକ ପ୍ରମୁଖ ଯୋଗଦାନ ଦେଇଛି, ଯାହା ଦେଶର ଅପହଞ୍ଚ ଅଞ୍ଚଳରେ ସେନାକୁ କ୍ଷୀର ଯୋଗାଇବାରେ ସାହାଯ୍ୟ କରିଛି । ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ମୁଁ ସେନା ମୁଖ୍ୟଙ୍କ ତରଫରୁ ସାମରିକ ଫାର୍ମରେ କାର୍ଯ୍ୟରତ ସମସ୍ତ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଉଛି ।