କୋଲକାତା: କାଁ ଭାଁ ନିର୍ବାଚନୀ ହିଂସା ମଧ୍ୟରେ ଶେଷ ହୋଇଛି ଆସାମ ଓ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ । ମତଦାନ ଶେଷ ଅର୍ଥାତ ସଂନ୍ଧ୍ୟା 5 ଟା ସୁଦ୍ଧା ପଶ୍ଚିମବଙ୍ଗରେ ମୋଟ 79.08 ପ୍ରତିଶତ ମତଦାନ ହୋଇଥିବା ରେକର୍ଡ ହୋଇଛି । ସକାଳ 7 ରୁ ପୋଲିଂ କେନ୍ଦ୍ର ଗୁଡିକ ଖୋଲିଥିବାବେଳେ ସଂନ୍ଧ୍ୟା 6 ଯାଏଁ ଭୋଟିଂ ଚାଲିଥିଲା ।
ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ 294 ଆସନ ମଧ୍ୟରୁ ମୋଟ 30 ଆସନ ପାଇଁ ଭୋଟ ଗ୍ରହଣ ହୋଇଛି । ରାଜ୍ୟରେ 21 ମହିଳା ପ୍ରାର୍ଥୀଙ୍କ ସମେତ ମୋଟ 191 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ରାଜ୍ୟରେ କାଁ ଭାଁ ହିଂସାକୁ ଛାଡିଦେଲେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପକ୍ଷରେ ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ଦିବେନ୍ଦୁ ଅଧିକାରୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଯେଉଁଥିରେ ସେ ଓ ତାଙ୍କ ଗାଡି ଭଙ୍ଗାରୁଜା ହୋଇଥିବା ସହ ସେ ମଧ୍ୟ ଆହତ ହୋଇଥିବା ଅଭିଯୋଗ କରିଛନ୍ତି ଦିବେନ୍ଦୁ । କିଛି ସ୍ଥାନରେ ଛୋଟ ମୋଟ ବିଶୃଙ୍ଖଳାକୁ ବାଦ ଦେଲେ ରାଜ୍ୟରେ ପ୍ରାୟତଃ ଭୋଟିଂ ଶାନ୍ତିପୂର୍ଣ୍ଣ ରହିଥିବା ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନୀ ହିଂସାରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲେ ସୁଦ୍ଧା ଉକ୍ତ ମୃତ୍ୟୁ ଘଟଣା ନିର୍ବାଚନୀ ହିଂସା ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିଶନ ।