ନୂଆଦିଲ୍ଲୀ:କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ହେଉଥିବା ନିର୍ବାଚନରୁ ଥିରୁଅନନ୍ତପୁରମ ସାଂସଦ ଶଶି ଥରୁର (Congress presidential polls candidate Shashi Tharoor) ଓହରିଯିବା ନେଇ ଚର୍ଚ୍ଚା ହେଉଛି । ଏହାକୁ ଖଣ୍ଡନ କରିଛନ୍ତି ଥରୁର (Tharoor dismissed talk of him withdrawing from election)। ସେ କୌଣସି ଚ୍ୟାଲେଞ୍ଜକୁ ଗ୍ରହଣ କରିବା ପରେ ସେଥିରୁ ଓହରନ୍ତି ନାହିଁ । ଏହି ଲଢେଇରେ ସେ ଶେଷ ପର୍ଯ୍ୟନ୍ତ ଲଢେଇ କରିବେ ବୋଲି କହିଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନରେ ଶଶି ଥରୁର ଓ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମୁହାଁମୁହିଁ ହେବେ । ଏହି ସମୟରେ ଥରୁର ନିର୍ବାଚନରୁ ଓହରିଯାଇଥିବା ନେଇ ଚର୍ଚ୍ଚା ହେଉଛି । ଏହା ଉପରେ ପ୍ରତିକ୍ରିୟା ରଖି ଥରୁର କହିଛନ୍ତି, " ମୁଁ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ନେଇ ଦିଲ୍ଲୀରେ ଚର୍ଚ୍ଚା ହେଉଛି । ତେବେ ଆପଣଙ୍କୁ ସ୍ପଷ୍ଟ କରୁଛି ଯେ ମୁଁ ମୋ ଜୀବନରେ କୌଣସି ଚ୍ୟାଲେଞ୍ଜରୁ ଓହରି ନାହିଁ କି ଓହରିବି ନାହିଁ ।" ଟ୍ବିଟରରେ ସେ ଏକ ଭିଡ଼ିଓ ସେୟାର କରି ଏହା ସ୍ପଷ୍ଟ କରିଛନ୍ତି ।
ସେ ଆହୁରି କହିଛନ୍ତି, " ଏହା ଏକ ସଂଘର୍ଷ । ଦଳ ମଧ୍ୟରେ ଏହା ଏକ ବନ୍ଧୁତାପୂର୍ଣ୍ଣ ପ୍ରତିଯୋଗିତା । ଶେଷ ପର୍ଯ୍ୟନ୍ତ ଲଢେଇ ହେବ । ଅକ୍ଟୋବର ୧୭ରେ ଆସି ଦୟାକରି ଭୋଟ ଦିଅନ୍ତୁ । ଆସନ୍ତାକାଲି ବିଷୟରେ ଭାବନ୍ତୁ, ଥରୁର ବିଷୟରେ ଭାବନ୍ତୁ ( 'Think tomorrow, think Tharoor') । " ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବା ବେଳେ ସେ ଏହି ଭିଡ଼ିଓ ଜାରି କରିଛନ୍ତି । କଂଗ୍ରେସର ବିଜ୍ଞପ୍ତି ଅନୁସାରେ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସେପ୍ଟେମ୍ବର ୨୪ରୁ ୩୦ ପର୍ଯ୍ୟନ୍ତ ରହିଥିଲା ।