ମୁମ୍ବାଇ:ମହଙ୍ଗା ପଡ଼ିଲା ଶିକ୍ଷକଙ୍କ ଦଣ୍ଡ ପ୍ରହାର । ଟ୍ୟୁସନ ସାରଙ୍କ ମାଡ଼ରେ ଶ୍ରବଣ ଶକ୍ତି ହରାଇଲେ ମାତ୍ର ୧୨ ବର୍ଷର ଛାତ୍ର । ଏଭଳି ଅଭାବନୀୟ ଘଟଣା ମହାରାଷ୍ଟ୍ର ଥାନେ ଜିଲ୍ଲାରେ ଦେଖିବାକୁ ମିଳିଛି । ଛାତ୍ର ଜଣକ ହୋମୱାର୍କ ନ କରିଥିବାରୁ ତାଙ୍କୁ ଦଣ୍ଡ ଦେବା ଲାଗି ମାଡ଼ ମାରିଥିଲେ ଟ୍ୟୁସନ ସାର । ଏହାପରେ ଛାତ୍ରଙ୍କ କାନ ଫୁଲିଯାଇଥିବା ବେଳେ ସେ ଶ୍ରବଣ ଶକ୍ତି ହରାଇଛନ୍ତି । ତେବେ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ହେବା ପରେ ପୋଲିସ ଉକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ଗତ ମାର୍ଚ୍ଚ ୩୧ ତାରିଖରେ ଘଟିଛି ଏଭଳି ବିରଳ ଘଟଣା । ଯେତେବେଳେ ଟ୍ୟୁସନ ସାର ଜାଣିବାକୁ ପାଇଥିଲେ ଯେ ଛାତ୍ର ଜଣକ ହୋମୱାର୍କ ସମ୍ପୂର୍ଣ୍ଣ କରିନାହାନ୍ତି ଏହାପରେ ତାଙ୍କୁ ଜୋରରେ ମାଡ଼ ମାରିଥିଲେ । ଏହାପରେ ଛାତ୍ର ଜଣକ କାନ୍ଦି କାନ୍ଦି ଘରକୁ ଆସିବା ପରେ ପରିବାରକୁ ଜଣାଇଥିଲେ । ଛାତ୍ରଟି ପ୍ରାଥମିକ ଅବସ୍ଥାରେ କାନ ଦରଜ ଥିବା ନେଇ କହିଥିଲା । ଏହାପରେ ଧୀରେଧୀରେ ତାର ଶ୍ରବଣ ଶକ୍ତି ହ୍ରାସ ପାଇଥିଲା । ଶେଷରେ ଏବେ ସେ ବଧିର ହୋଇଯାଇଥିବା ବେଳେ କାନର ଭିତର ପାର୍ଶ୍ବ ଫୁଲି ଯାଇଛି । ଏହାପରେ ଆହତ ଛାତ୍ରର ପିତାମାତା ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ।