ଶ୍ରୀନଗର:ସୀମାରେ ପୁଣି ଆତଙ୍କୀଙ୍କ ଉତ୍ପାତ । ରକ୍ତର ହୋଲି ଖେଳୁଛନ୍ତି ଆତଙ୍କବାଦୀ । ଗୋଟିଏ ପରେ ଗୋଟିଏ ମୁଣ୍ଡ ନେବାକୁ ଉଦ୍ୟମ ଚାଲିଛନ୍ତି ଆତଙ୍କୀ । ଜମ୍ମୁ କଶ୍ମୀରରେ ପୁଣି ଆତଙ୍କୀଙ୍କ ଗୁଳିର ଶିକାର ହୋଇଛନ୍ତି ପ୍ରବାସୀ ଶ୍ରମିକ । ଦକ୍ଷିଣ ପୁଲୱାମାର ଜଣେ ପ୍ରବାସୀ ଶମିକଙ୍କ ଉପରକୁ ଗୁଳି ଚଳାଇଛନ୍ତି ଆତଙ୍କୀ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷାକର୍ମୀ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଏନେଇ ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି ।
ଆହତ ଶ୍ରମିକ ଜଣଙ୍କ ପଶ୍ଚିମବଙ୍ଗର ମନିରୁଲ ଇସାଲାମ ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପୁଲୱାମା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀ ଅପରେସନ ଚଳାଇଥିବା କହିଛନ୍ତି ସେନା ଅଧିକାରୀ । ନିକଟରେ ଗତ ଅଗଷ୍ଟ 12 ତାରିଖରେ ଜମ୍ମୁ କଶ୍ମୀର ବାନ୍ଦୀପୋରା ସଦୁନାରା ସୋନାୱାରିରେ ଆତଙ୍କୀଙ୍କ ଗୁଳିରେ ଜଣେ ପ୍ରବାସୀ ଶ୍ରମିକଙ୍କର ଜୀବନ ଯାଇଥିଲା । ଶ୍ରମିକ ଜଣକ ବିହାରର ମହମ୍ମଦ ଅମରେଜ ବୋଲି ଜଣାପଡିଥିଲା । ଅଗଷ୍ଟ 17ରେ ଜଣେ ଫଳ ଚାଷୀ ସୁନୀଲ ଭଟ୍ଟଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କୀ ।