ନୂଆଦିଲ୍ଲୀ: ପୁଣି ଥରେ ଦେଶରେ 26/11 ଭଳି ଆଉ ଏକ ଆକ୍ରମଣ କରିବାକୁ ଯୋଜନା କରୁଥିଲେ ଆତଙ୍କବାଦୀ ସଂଗଠନ। ଜମ୍ମୁ ଓ କାଶ୍ମୀର ନାଗ୍ରୋଟା ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଆତଙ୍କବାଦୀ ଏହି ଯୋଜନା କରୁଥିବା ନେଇ ଆଶଙ୍କା କରାଯାଉଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆରମ୍ଭ ହୋଇଛି। ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରଙ୍ଗଲା ଓ ଗୁଇନ୍ଦା ବିଭାଗ ଅଧିକାରୀ ଯୋଗ ଦେଇଛନ୍ତି। ଗତ ଗୁରୁବାର ଦିନ ଜମ୍ମୁର ନାଗ୍ରୋଟା ଅଞ୍ଚଳର ବନ ଟୋଲ ପ୍ଲାଜା ନିକଟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପ୍ରାୟ 3 ଘଣ୍ଟା କାଳ ଏହି ଗୁଳି ବିନିମୟ ଜାରି ରହିଥିଲା। ଶେଷରେ 4 ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିବାକୁ ସକ୍ଷମ ହୋଇଥିଲେ ସୁରକ୍ଷାକର୍ମୀ।
ଏହି ଏନକାଉଣ୍ଟର ପରେ ଜମ୍ମୁର ପୋଲିସ ଇନ୍ସପେକ୍ଟର ଜେନେରାଲ କହିଥିଲେ ଯେ, "ଆତଙ୍କବାଦୀମାନେ ଏକ ବଡ ଆକ୍ରମଣ ଯୋଜନା କରୁଛନ୍ତି। ଜମ୍ମୁରେ ହେବାକୁ ଥିବା ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନକୁ ଆତଙ୍କବାଦୀମାନେ ଟାର୍ଗେଟ କରିଥିବା ଆଶଙ୍କା କରାଯାଉଛି। ନଭେମ୍ବର 28 ରୁ ଡିସେମ୍ବର 19 ତାରଖ ପର୍ଯ୍ୟନ୍ତ ଏହି ନିର୍ବାଚନ ହେବ। ଏହାପରେ ଡିସେମ୍ବର 22 ରେ ଭୋଟ୍ ଗଣନା କରାଯିବ। ଏହାକୁ ନେଇ ଅଧିକ ତଦନ୍ତ ଜାରି ରହିଛି।"
ନାଗ୍ରୋଟା ଅଞ୍ଚଳର ବନ ଟୋଲ ପ୍ଲାଜା ନିକଟରେ ଗାଡ଼ି ଯାଞ୍ଚ ବେଳେ ଏକ ଟ୍ରକକୁ ଅଟାଇଥିଲେ ସୁରକ୍ଷାକର୍ମୀ। ଏହାପରେ ଟ୍ରକ ମଧ୍ୟରୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲା। ପାଲଟା ଗୁଳି ଚାଳନା ବେଳେ 4 ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ। ଏହି 4 ଜଣ ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ସଦସ୍ୟ ଥିବା ନେଇ ସୂଚନା ମିଳିଥିଲା। 26/11 ଆତଙ୍କବାଦୀ ଆକ୍ରମଣର ବାର୍ଷିକୀରେ ଆତଙ୍କବାଦୀମାନେ ଏହି ବଡ ଆକ୍ରମଣ ଯୋଜନା କରୁଥିବା ଆଶଙ୍କା କରାଯାଉଛି।
@ani