ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୋଇତ୍ରା ଜଣେ ଶିଳ୍ପପତିଙ୍କ ଠାରୁ ଟଙ୍କା ନେଇ ସଂସଦରେ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ କ୍ରମାଗତ ପ୍ରଶ୍ନ ଉଠାଇଥିବା ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗରେ କେନ୍ଦ୍ର ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏପରି ସଙ୍ଗୀନ ଅଭିଯୋଗ ସତ ହୋଇଥିଲେ ଅତି ଲଜ୍ଜାଜନକ ଓ ଆଶ୍ଚର୍ଯ୍ୟ ଚକିତ କରିବା ପରି ବୋଲି ଚନ୍ଦ୍ରଶେଖର ଟ୍ବିଟ୍ରେ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ନିଜ ‘ଏକ୍ସ’ ଆକାଉଣ୍ଟରେ ମୋଇତ୍ରା ଗୃହରେ କରିଥିବା ଆପ ବ୍ୟାନ ସମ୍ପର୍କିତ ପ୍ରଶ୍ନର କପି ସଲଗ୍ନ କରି ପୋଷ୍ଟ କରି ଲେଖିଛନ୍ତି,‘‘ ମତେ ନ୍ୟୁଜ ରିପୋର୍ଟରୁ ସୂଚନା ମିଳିଲା ଯେ, ଜଣେ ସାଂସଦ ଏକ ଡାଟା ସେଣ୍ଟର କମ୍ପାନୀର ନିର୍ଦ୍ଦେଶରେ ହୁଏତ ସଂସଦରେ ଏହି ପ୍ରଶ୍ନ କରିଛନ୍ତି । ଯଦି ଏପରି ସତରେ ହୋଇଥାଏ, ତେବେ ଏହା ଅତି ଲଜ୍ଜାଜନକ ଓ ଆଶ୍ଚର୍ଯ୍ୟ ଚକିତ କରିବା ପରି ମଧ୍ୟ । ଏହା ସତ୍ୟ ଯେ ଏହି କମ୍ପାନୀ ଡାଟା ଲୋକାଲାଇଜେସନ୍ ପାଇଁ ସକ୍ରିୟ ଓ ଆକ୍ରମଣାତ୍ମକ ଭାବରେ ଲବି କରୁଥିଲା । ସଂସଦରେ ମଧ୍ୟ ପଚରା ଯାଇଥିବା ପ୍ରଶ୍ନରେ ବ୍ୟବହୃତ ଭାଷା ସେହି ଲବି ସହ ପ୍ରାୟତଃ ସମାନ । ଯେତେବେଳେ ଏହି କମ୍ପାନୀର ମୁଖ୍ୟ ମୋତେ ଭେଟିଥିଲେ ସେ ମଧ୍ୟ ଏହି ପ୍ରଶ୍ନରେ ବ୍ୟବହୃତ ଭାଷା ପରି ଭାଷାରେ ଏହି ପ୍ରସଙ୍ଗରେ କଥା ହୋଇଥିଲେ । ମୁଁ ଏହି ଅଭିଯୋଗର ସମ୍ପୂର୍ଣ୍ଣ ତଥ୍ୟ କିମ୍ବା ପୃଷ୍ଠଭୂମି ଜାଣିନାହିଁ । କିନ୍ତୁ ଯଦି ଏହା ସତ, ତେବେ ଏହା ଏକ ଅତ୍ୟନ୍ତ ଲଜ୍ଜାଜନକ ଏବଂ ସଂସଦୀୟ ପ୍ରଶ୍ନର ଅପବ୍ୟବହାର ।’’
ତେବେ କେନ୍ଦ୍ରମନ୍ତ୍ରୀ ରାଜୀବଙ୍କ ଏହି ଟ୍ବିଟରେ ପ୍ରତିକ୍ରିୟା ରଖି ମୋଇତ୍ରା ଲେଖିଛନ୍ତି,‘‘ ସାର... ଡାଟା ସୁରକ୍ଷା ପାଇଁ ଗଠିତ ସଂସଦୀୟ ଯୁଗ୍ମ କମିଟିର ସଦସ୍ୟା ଭାବେ ମୁଁ ରହିଛି । ମୁଁ ପଚାରିଥିବା ପ୍ରଶ୍ନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଜରୁରୀ ଥିଲା । ଯଦି ଶତ୍ରୁ ରାଷ୍ଟ୍ର ଆପ ମାଧ୍ୟମରେ ତଥ୍ୟ ଚୋରି କରିପାରୁଛି, ତେବେ କ’ଣ ସେମାନେ ବିଦେଶରେ ଷ୍ଟୋର କରାଯାଇଥିବା ଭାରତୀୟ ବ୍ୟବହାରକାରୀଙ୍କ ତଥ୍ୟ ଚୋରି କରିପାରିବେ ନାହିଁ । ମୁଁ ଅନ୍ୟମାନଙ୍କ ପାଇଁ ଏପରି ପ୍ରଶ୍ନ କରିଥିବା ଅଭିଯୋଗ କରି ମୋର ବୁଦ୍ଧିମତାର ଅପମାନ କରନ୍ତୁ ନାହିଁ ।’’