ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଆଶାତୀତ ସଫଳତା । କିଛିବର୍ଷ ପୂର୍ବରୁ କଂଗ୍ରେସମୁକ୍ତ ହେବାକୁ ଯାଉଥିବା ପରି ମନେ ହେଉଥିଲା ତେଲେଙ୍ଗାନା । ହେଲେ ଏବେ ରାଜ୍ୟର ସର୍ବବୃହତ ଦଳ ଭାବେ ଉଭା ହୋଇଛି ଦେଶର ସର୍ବପୂରାତନ ଦଳ । କଂଗ୍ରେସକୁ ତେଲେଙ୍ଗାନାରେ ଏଭଳି ଅପ୍ରତ୍ୟାଶିତ ସଫଳତା ଦେବାରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ପିସିସି ସଭାପତି ରେବନ୍ତ ରେଡ୍ଡି । ଏପରିକି କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରେସ୍ରେ ମଧ୍ୟ ସେ ସବୁଠାରୁ ଆଗରେ ରହିଥିବା କୁହାଯାଉଛି । ନଜର ପକାନ୍ତୁ ଏହି ଚତୁର ରାଜନେତା ଅନୁମୁଲା ରେବନ୍ତ ରେଡ୍ଡିଙ୍କ ରାଜନୈତିକ କ୍ୟାରିୟର ଉପରେ ।
ଏବିଭିପିରୁ ଟିଡିପି, ରେବନ୍ତଙ୍କ ପ୍ରାରମ୍ଭିକ ଜୀବନ: ୧୯୬୯ ନଭେମ୍ବର ୮ ତାରିଖରେ ମେହେବୁବନଗର କୋଣ୍ଡାରେଡ୍ଡିରେ ଜନ୍ମଗ୍ରହଣ କରିଥିଲେ ଅନୁମୁଲା ରେବନ୍ତ ରେଡ୍ଡି । ଓସମାନିଆ ବିଶ୍ବବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥଲେ ସେ । ଏହି ସମୟରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ରୁ ଛାତ୍ର ରାଜନୀତି ଆରମ୍ଭ କରିଥିଲେ । ସେ ତେଲୁଗୁ ଦେଶମ ପାର୍ଟି (TDP)ରୁ ସକ୍ରିୟ ରାଜନୀତିରେ ସାମିଲ ହୋଇଥିଲେ । ସେ ୩ ଥର ବିଧାୟକ ଏବଂ ଥରେ ସାଂସଦ ହୋଇଛନ୍ତି । ୨୦୦୯ ଏବଂ ୨୦୧୪ରେ ଟିଡିପି ଟିକେଟରେ କୋଣ୍ଡାଙ୍ଗଲ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ ରେବନ୍ତ ରେଡ୍ଡି । ୨୦୧୭ ଅକ୍ଟୋବରରେ ଟିଡିପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ ।
ରେବନ୍ତଙ୍କ ନେତୃତ୍ବରେ ସରକାର ଗଢ଼ିବ କଂଗ୍ରେସ: କଂଗ୍ରେସରେ ଯୋଗଦେବା ପରେ ୨୦୧୮ ବିଧାନସଭା ନିର୍ବାଚନରେ କୋଣ୍ଡାଙ୍ଗଲ ବିଧାନସଭା ଆସନରୁ ଲଗାତର ତୃତୀୟ ବିଜୟ ହାସଲ କରିଥିଲେ ରେବନ୍ତ ରେଡ୍ଡି । ଏହାପରେ ୨୦୧୯ ଲୋକସଭା ନିର୍ବାଚନ ଲଢ଼ି ମଧ୍ୟ ସଫଳ ହୋଇଥିଲେ । କଂଗ୍ରେସ ଟିକେଟ୍ରୁ ସେ ମାଲକାଜଗିରି ଆସନରୁ ବିଜୟୀ ହୋଇ ସାଂସଦ ଅଛନ୍ତି । ରେବନ୍ତଙ୍କୁ ୨୦୨୧ରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ଦେଇଥିଲେ କଂଗ୍ରେସ ହାଇକମାଣ୍ଡ । ରେବନ୍ତଙ୍କ ନେତୃତ୍ବରେ ୨୦୨୩ ବିଧାନସଭା ନିର୍ବାଚନ ଲଢ଼ିଛି କଂଗ୍ରେସ ପାର୍ଟି । ସେ ନିଜେ ଏଥର ଦୁଇଟି ଆସନରୁ ବିଧାନସଭା ନିର୍ବାଚନ ଲଢ଼ିଛନ୍ତି । ନିଜର ପାରମ୍ପରିକ ଆସନ କୋଡଙ୍ଗଲ ସମେତ, କାମାରେଡ୍ଡିରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିରୋଧରେ ମଧ୍ୟ ସିଧା ସଳଖ ଲଢ଼େଇ କରି ଆଗରେ ରହିଛନ୍ତି ରେବନ୍ତ ।