ହାଇଦ୍ରାବାଦ:ଆଜି ତେଲେଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ସମଗ୍ର ରାଜ୍ୟରେ ଭୋଟଗ୍ରହଣ ଜାରି ରହିଥିବା ବେଳେ ସଂଧ୍ୟାରେ ଆସିବାକୁ ଥିବା ଏକଜିଟପୋଲ ବା ବୁଥ ବାହୁଡା ଜନମତ ଉପରେ ସମସ୍ତଙ୍କ ନଜର ରହିଛି । ମାତ୍ର ଏହା ପୂର୍ବରୁ ରାଜ୍ୟରେ ସରକାର ଗଠନ କରିବା ସହ ଶପଥ ଗ୍ରହଣ ସମାରୋହ ତାରିଖ ମଧ୍ୟ ଘୋଷଣା କରିଛି କଂଗ୍ରେସ । ପ୍ରଦେଶ କଂଗ୍ରେସ ସଭାପତି ରିବନ୍ତ ରେଡ୍ଡୀ କହିଛନ୍ତି, 9 ତାରିଖରେ କଂଗ୍ରେସ ସରକାର ଶପଥ ଗ୍ରହଣ ସମାରୋହ ହେବା ନେଇ ସୂଚୀ ଚୂଡାନ୍ତ ହୋଇସାରିଛି । ଏଲବି ନଗର ଷ୍ଟାଡିୟମରେ ପୂର୍ବାହ୍ନ ସାଢେ 10 ରେ କଂଗ୍ରେସ ସରକାର ଶପଥ ଗ୍ରହଣ କରିବ ।
ହାଇପ୍ରୋଫାଇଲ କାମାରେଡ୍ଡୀ ଆସନରୁ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ପ୍ରଦେଶ କଂଗ୍ରେସ ମୁଖ୍ୟ ରେଡ୍ଡୀ । ଆଜି ନିଜେ ମତାଧିକାର ସାବ୍ୟସ୍ତ କରିବା ଅବସରରେ କହିଛନ୍ତି, ‘‘କେସିଆର ଏବେ ବିଦାୟୀ ମୁଖ୍ୟମନ୍ତ୍ରୀ । ରାଜ୍ୟରେ କଂଗ୍ରେସ ଶାସନକୁ ଆସିବାକୁ ଯାଉଛି । ଶପଥ ଗ୍ରହଣ ସମାରୋହ ପାଇଁ ତାରିଖ ମଧ୍ୟ ଧାର୍ଯ୍ୟ ହୋଇସାରିଛି । 9 ତାରିଖରେ କଂଗ୍ରେସ ସରକାର ଶପଥ ଗ୍ରହଣ କରିବ । ଏଲବି ନଗର ଗ୍ରାଉଣ୍ଡରେ ସମୟ ପୂର୍ବାହ୍ନ ସାଢେ 10 ଟାରେ କଂଗ୍ରେସ ସରକାର ଶପଥ ଗ୍ରହଣ ସମାରୋହ ଚୂଡାନ୍ତ ହୋଇସାରିଛି ।’’
ତେବେ କଂଗ୍ରେସ ବହୁମତ ପାଇଲେ, କି’ଏ ମୁଖ୍ୟମନ୍ତ୍ରୀ ହେବା ପ୍ରଶ୍ନକୁ ଏଡାଇ ଯାଇଛନ୍ତି ରିବନ୍ତ । କହିଛନ୍ତି, ‘‘ପ୍ରଥମେ କ୍ୟାପଟେନ ନୁହେଁ ବରଂ ଖେଳାଳି ଚୟନ ହୋଇଥାଏ । କଂଗ୍ରେସର 85 ବିଧାୟକଙ୍କ ମଧ୍ୟରୁ ଯେ କେହି ମଧ୍ୟ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯୋଗ୍ୟ । କିନ୍ତୁ ତାହା କ୍ରିକେଟ ଟିମ ପରି ଏକ ଚୟନ ପ୍ରକ୍ରିୟା । ମୁଁ ଏବେ ଦଳୀୟ କ୍ୟାପଟେନ ଭୂମିକାରେ ରହିଛି । ନିର୍ବାଚନ ଫଳାଫଳ ଆସିବା ପରେ ନିର୍ବାଚିତ ବିଧାୟକମାନେ ବିଧାୟକ ଦଳ ନେତା ଚୟନ କରିବେ । ଏଥିରେ ଏବେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ।’’