ନୂଆଦିଲ୍ଲୀ: ଭୋଟ ଦେଉଛି ତେଲେଙ୍ଗାନା । ଆଜି ସକାଳ 7ଟାରୁ ରାଜ୍ୟର 119 ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି । ନିର୍ବାଚନ ପର୍ବରେ ସାମିଲ ହୋଇ ରେକର୍ଡ ଭୋଟ ଦେଇ ଗଣତନ୍ତ୍ରର ଏହି ପର୍ବକୁ ସଶକ୍ତ କରିବାକୁ ତେଲେଙ୍ଗାନା ଭୋଟରଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ କହିଛନ୍ତି, ''ତେଲେଙ୍ଗାନାର ମୋର ସମସ୍ତ ଭାଇ ଭାଉଣୀ ରେକର୍ଡ ସଂଖ୍ୟକ ଭୋଟ ଦେଇ ଗଣତନ୍ତ୍ରର ଏହି ମହାନ ପର୍ବକୁ ସଶକ୍ତ କର । ବିଶେଷ କରି ଯୁବ ଏବଂ ପ୍ରଥମ ଥର ଲାଗି ଗଣତନ୍ତ୍ରର ପର୍ବରେ ସାମିଲ ହୋଇଥିବା ଭୋଟକୁ ରେକର୍ଡ ସଂଖ୍ୟାରେ ମତଦାନ ସାବ୍ୟସ୍ତ କରିବାକୁ ଅନୁରୋଧ ।''
ତେଲେଙ୍ଗାନାର 119 ବିଧାନସଭା ଆସନରେ ମତଦାନ ଜାରି ରହିଛି । ରାଜ୍ୟରେ ହୋଇଥିବା 35655ଟି ମତଦାନ କେନ୍ଦ୍ରରେ ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସନ୍ଧ୍ୟା 5ଟା ଯାଏ ମତଦାନ ପ୍ରକ୍ରିୟା ଜାରି ରହିବ । 119 ଆସନରୁ 106ଟି ଆସନରେ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ମତଦାନ ଚାଲିବାକୁ ଥିବାବେଳେ ମାଓ ଅଧ୍ୟୁଷିତ 13ଟି ଆସନରେ ଅପରାହ୍ନ 4ଟାରେ ଭୋଟ ସରିବ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ସାରିବାକୁ ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି । ମୋଟ 2,290 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି 3 କୋଟି 26 ଲକ୍ଷରୁ ଉଦ୍ଧ୍ବ ଜନତା । 900 ସ୍ବାଧୀନ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । ବିଶେଷ କରି ରାଜ୍ୟରେ ବିଆରଏସ, କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ ହେବ ।