ହାଇଦ୍ରାବାଦ:ନଭେମ୍ବର 30 ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ନେଇଥିଲେ ରାଜ୍ୟ ପିସିସି ସଭାପତି ରେବନ୍ତ ରେଡ୍ଡି । କଂଗ୍ରେସର ତେଲେଙ୍ଗାନା ବିଜୟ ପରେ, ମୁଖ୍ୟମନ୍ତ୍ରୀ ପଦକୁ ନେଇ ସାମାନ୍ୟ ଦ୍ବନ୍ଦ୍ବ ଉପୁଜିଥିବା ବେଳେ, ଶେଷରେ ସସପେନ୍ସରେ ଅନ୍ତ ଘଟାଇଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି । ରାହୁଲ ମୁହଁ ଖୋଲିବା ସହ କହିଛନ୍ତି ' ମୋର ପସନ୍ଦ ରେବନ୍ତ ' ।
ଡିସେମ୍ବର ୩ରେ ପ୍ରକାଶ ପାଇଥିଲା ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ । ୧୧୯ ଆସନ ବିଶିଷ୍ଟ ବିଧାନସଭାରେ ୬୪ ଆସନ ଜିତି ବହୁମତ ହାସଲ କଲା କଂଗ୍ରେସ ପାର୍ଟି । ଆଉ ଏହି ବିଜୟର ମହାନାୟକ ପିସିସି ସଭାପତି ରେବନ୍ତ ରେଡ୍ଡି । ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆରମ୍ଭରୁ ଚର୍ଚ୍ଚା ହେଉଥିବା ବେଳେ, ଫଳାଫଳ ବାହାରିବା ପରେ ବଢ଼ିଥିଲା ଆଶାୟୀଙ୍କ ତାଲିକା । ଯାହାକୁ ନେଇ କଳ୍ପନା ଜଳ୍ପନା ବଢ଼ିଥିଲା । ଯାହାକୁ ସମାଧାନ କରିବାକୁ ସ୍ବତନ୍ତ୍ର ରଣନୀତି କରିଥିଲେ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ବ । ପ୍ରଥମେ ନିର୍ବାଚିତ ବିଧାୟକମାନଙ୍କ ଫିଡ୍ ବ୍ୟାକ୍ ଏବଂ ପରେ ବିଧାୟକ ଦଳ ବୈଠକରେ ସଂକଳ୍ପ ପାସ୍ । ତାପରେ ହାଇକମାଣ୍ଡଙ୍କ କୋର୍ଟକୁ ଯାଇଥିଲା ବଲ୍ ।
ରାହୁଲ ଶୁଣାଇଲେ ରାୟ !: ଦିଲ୍ଲୀରେ ହାଇକମାଣ୍ଡ ମଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ବସିଲା କଂଗ୍ରେସର ଉଚ୍ଚସ୍ତରୀୟ ବୈଠକ ।ଏଥିରେ ସାମିଲ ହୋଇଥିଲେ ରାହୁଲ ଗାନ୍ଧି ଏବଂ ଦଳର ମହାସଚିବ କେସି ବେଣୁଗୋପାଳଙ୍କ ସମେତ ଦଳର ତୁଙ୍ଗ ନେତା । ବୈଠକରେ ରାହୁଲ କହିଥିଲେ ଯେ, ' ତେଲେଙ୍ଗାନାରେ ଟପ୍ ପୋଷ୍ଟ ପାଇଁ ରେବନ୍ତ ରେଡ୍ଡି ହିଁ ଯୋଗ୍ୟ ବ୍ୟକ୍ତି । ସେ ହେଉଛନ୍ତି ମୋର ପ୍ରଥମ ପସନ୍ଦ । '
ଏହା ମଧ୍ୟ ପଢ଼ନ୍ତୁ: ସସପେନ୍ସର ଅନ୍ତ: ରେବନ୍ତ ହେବେ ମୁଖ୍ୟମନ୍ତ୍ରୀ, ୭ରେ ଶପଥ !
ସୋମବାର ସଂଧ୍ୟାରେ ହେବାର ଥିଲା ଶପଥ ଗ୍ରହଣ ସମାରୋହ । ମାତ୍ର ରାଜ୍ୟ କଂଗ୍ରେସ କିଛି ବରିଷ୍ଠ ନେତା, ମୁଖ୍ୟମନ୍ତ୍ରୀ ପଦ ପାଇଁ ରେଡ୍ଡିଙ୍କ ଚୟନକୁ ବିରୋଧ କରିବା ପରେ, ଶପଥ ସମାରୋହକୁ ଘୁଞ୍ଚାଇ ଦିଆଯାଇଥିଲା । ପରେ ଏଆଇସିସି ଏବଂ କଂଗ୍ରେସ ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ରେବନ୍ତଙ୍କ ନାଁରେ ମୋହର ଲାଗିଛି । 54 ବର୍ଷୀୟ ଯୁବ ଏବଂ ଆଗ୍ରେସିଭ୍ ରାଜନେତା ରେବନ୍ତ । ତେଲେଙ୍ଗାନାରେ ୧୦ ବର୍ଷ ଧରି ଶାସନ କରି ଆସୁଥିବା ବିଆରଏସ ପାର୍ଟି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ସବୁ ପ୍ରସଙ୍ଗରେ ଚ୍ୟାଲେଞ୍ଜ କରୁଥିଲେ ରେବନ୍ତ । ବିଧାନସଭା ନିର୍ବାଚନ ସମେୟରେ ବହୁ ଘାତ ପ୍ରତିଘାତ ମଧ୍ୟରେ, ସିଏମ୍ କେସିଆରଙ୍କ ସରକାରୀ କଳ ଏବଂ ବଳକୁ ସଫଳ ମୁକାବିଲା କରି, ବିଆରଏସ ହାତରୁ କ୍ଷମତା ଛଡ଼ାଇ ଆଣିଥିଲେ ।