ହାଇଦ୍ରାବାଦ:ନୂଆ ତଥା ଜାତୀୟ ରାଜନୈତିକ ଦଳ ଗଠନ କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତିର ମୁଖ୍ୟ କେ.ଚନ୍ଦ୍ର ଶେଖର ରାଓ । ଆଜି ଏନେଇ କେସିଆର ନିଜେ ସୂଚନା ଦେଇଛନ୍ତି । ଏହି ନୂତନ ଦଳର ନାମ ଭାରତ ରାଷ୍ଟ୍ରୀୟ ସମିତି (BRS) ଭାବେ ପଞ୍ଜୀକରଣ ହେବାକୁ ଯାଉଛି । ଚଳିତ ମାସ ଶେଷ ସୁଦ୍ଧା କେସିଆର ଦିଲ୍ଲୀରେ ଏହି ନୂତନ ଜାତୀୟ ଦଳ ଘୋଷଣା କରିପାରନ୍ତି । ଏହି ଜାତୀୟ ଦଳର ନର୍ବାଚନୀ ଚିହ୍ନ ‘କାର’ ରଖାଯାଇ ପାରେ ବୋଲି ସୂତ୍ରରୁ ସୂଚନା ମିଳିଛି ।
ଗତକାଲି (ଶୁକ୍ରବାର) ମୁଖ୍ୟମନ୍ତ୍ରୀ କେ.ସି.ଆର ଜରୁରୀକାଳୀନ ବୈଠକ ଆହୁତ କରିଥିଲେ । ରାଷ୍ଟ୍ରପତି ନିର୍ବାଚନ, ଆରମ୍ଭ ହେବାକୁ ଯାଉଥିବା ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଓ ରାଜ୍ୟରେ ରାଜନୈତିକ ତଥା ସାମ୍ପ୍ରତିକ ପରିବର୍ତ୍ତନ ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ନୂଆ ଦଳ ନେଇ କେ.ସି.ଆର ସମ୍ୟକ ସୂଚନା ଦେଇଥିଲେ । ଚଳିତ ମାସ 19 ତାରିଖରେ ବସିବାକୁ ଯାଉଥିବା TRS ଓ୍ବାର୍କିଂ କମିଟିର ବୈଠକରେ ନୂଆ ଦଳର ରୂପରେଖ ନେଇ ଆଲୋଚନା ହେବ । ସେହି କ୍ରମରେ ମାସ ଶେଷ ଆଡକୁ ନୂଆ ଦଳ ନେଇ ବିଧିବଦ୍ଧ ଭାବେ କେସିଆର ରାଜଧାନୀ ଦିଲ୍ଲୀରେ ଘୋଷଣା କରିପାରନ୍ତି ।