ହାଇଦ୍ରାବାଦ: ଖମାମ ସମାବେଶ ପରେ ଭାରତ ରାଷ୍ଟ୍ର ସମିତି ନିର୍ଦ୍ଦିଷ୍ଟ ଯେଉଁ କେତୋଟି ପ୍ରଦେଶକୁ ପ୍ରବେଶ କରିବାକୁ ଯାଉଛି ତାରି ମଧ୍ୟରେ ରହିଛି ଓଡିଶା । ଆସନ୍ତାକାଲି( ବୁଧବାର) ତେଲେଙ୍ଗାନାର ଖମାମ ଜିଲ୍ଲାରେ ଭାରତ ରାଷ୍ଟ୍ର ସମିତିର ପ୍ରଥମ ଜାତୀୟ ସମାବେଶ ହେବାକୁ ଯାଉଛି । ଏହି ସମାବେଶରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ବିଆରଏସର ଯୋଜନା ସମ୍ପର୍କରେ ଘୋଷଣା କରିବେ । ଏହାସହ ପ୍ରାଥମିକ ପର୍ଯ୍ୟାୟରେ ଓଡିଶା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ରରେ ବିଆରଏସର ବିସ୍ତାର ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେବ ।
ବିଆରଏସର ବିସ୍ତାର ପାଇଁ କେସିଆର ଏବେ ଓଡିଶା, ଆନ୍ଧ୍ର ଓ ମହାରାଷ୍ଟ୍ରର ରାଜନେତାଙ୍କୁ ଘନ ଘନ ସାକ୍ଷାତ କରୁଛନ୍ତି । ଓଡିଶାରେ ବିଆରଏସ ଶାଖା ଆରମ୍ଭ କରିବାକୁ ସମସ୍ତ ଯୋଜନା ଶେଷ ହୋଇଛି । ମିଳିଥିବା ସୂତ୍ର ଅନୁସାରେ ବିଆରଏସରେ ଓଡିଶା ବିଜେପିର ପ୍ରମୁଖ ଆଦିବାସୀ ଚେହେରା ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ଶିଶିର ଗମାଙ୍ଗ ଓ ଜୟରାମ ପାଙ୍ଗୀ ପ୍ରମୁଖ ସାମିଲ ହେବେ । ଏଥିପାଇଁ 3 ଟି ପର୍ଯ୍ୟାୟର ଆଲୋଚନା ସରିଛି । ଗତ 13 ତାରିଖରେ ଗମାଙ୍ଗ ବାପ ପୁଅ ହାଇଦ୍ରାବାଦ ଗସ୍ତ କରି ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ସାକ୍ଷାତ କରିଥିଲେ । କେସିଆର ଗିରିଧର ଗମାଙ୍ଗଙ୍କୁ ଦଳରେ ସାମିଲ ହେବାକୁ ଖୋଲା ନିମନ୍ତ୍ରଣ ଦେଇଥିଲେ । ଯାହାକୁ ଶିଶିର ଗମାଙ୍ଗ ମଧ୍ୟ ସ୍ବୀକାର କରିଥିଲେ । ଗମାଙ୍ଗ ପରିବାର ବିଜେପି ଛାଡି ବିଆରଏସରେ ସାମିଲ ହେଉଥିବା ଏକ ପ୍ରକାର ନିଶ୍ଚିତ ହୋଇଛି ।
ଏହାବି ପଢନ୍ତୁ- ବିଜେପି ଛାଡିବେ ଗିରିଧର ଗମାଙ୍ଗ ! BRSରେ ହେବେ ସାମିଲ