ଓଡିଶା

odisha

ETV Bharat / bharat

ମୋଦିଙ୍କ ଗସ୍ତ ପୂର୍ବରୁ ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ ଅଟକ - ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ କୁମାରଙ୍କୁ ଉଠାଇ ନେଲା ପୋଲିସ

ପ୍ରଧାନମନ୍ତ୍ରୀଙ୍କ ତେଲେଙ୍ଗାନା ଗସ୍ତର କିଛି ଦିନ ପୂର୍ବରୁ ବିଜେପି ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ବନ୍ଦୀ ସଞ୍ଜୟ କୁମାରଙ୍କୁ ରାତି ଅଧିଆ ଉଠାଇନେଲା ପୋଲିସ । ଷଡଯନ୍ତ୍ର ବୋଲି କହିଲା ଦଳ । ଅଧିକ ପଢନ୍ତୁ

Telangana BJP chief Bandi Sanjay
Telangana BJP chief Bandi Sanjay

By

Published : Apr 5, 2023, 8:59 AM IST

ହାଇଦ୍ରାବାଦ: ରାତି ଅଧିଆତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ କୁମାରଙ୍କୁ ଉଠାଇ ନେଲା ପୋଲିସ । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ କରିମନଗର ବାସଭବନରୁ ତାଙ୍କୁ ପୋଲିସ ଉଠାଇ ନେଇଛି । ଆସନ୍ତା ୩ ଦିନ ପରେ ଅର୍ଥାତ ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତେଲେଙ୍ଗାନା ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ଏହାପୂର୍ବରୁ ରାଜ୍ୟ ବିଜେପି ମୁଖ୍ୟଙ୍କୁ ପୋଲିସ ଉଠାଇ ଆଣି ଅଟକ ରଖିଛି । ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ବିଜେପି କର୍ମୀ ଏନେଇ ପ୍ରତିବାଦ କରିଛନ୍ତି ।

ତେବେ ଗତକାଲି ବିଳମ୍ବିତ ରାତିରେ କରିମନଗର ବାସଭବନରୁ ବିଜେପି ନେତା ବନ୍ଦୀ ସଞ୍ଜୟ କୁମାରଙ୍କୁ ପୋଲିସ ନିଜ ହେପାଜତକୁ ନେବା ସମୟରେ ଉତ୍ତେଜନା ଦେଖାଦେଇଥିଲା । ଦଳୀୟ କର୍ମୀମାନେ ଏକତ୍ରିତ ହୋଇ ପୋଲିସକୁ ବିରୋଧ କରିଥିଲେ । ତେବେ ପୋଲିସ ବଳ ପୂର୍ବକ ସଞ୍ଜୟଙ୍କୁ ଟେକି ନେଇ ଭ୍ୟାନରେ ବସାଉଥିବା ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି । ବିଜେପି ନେତାଙ୍କୁ ନାଲଗୋଣ୍ଡା ଜିଲ୍ଲାର ବୋମ୍ମାଲା ରାମରାମ ଥାନାକୁ ନିଆଯାଇଥିବା ସୂଚନା ରହିଛି । ତେବେ ପୋଲିସ କାହିଁକି ଏଭଳି ରାତି ଅଧିଆ ସଞ୍ଜୟଙ୍କୁ ଉଠାଇ ନେଲା ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ । ପୋଲିସ ପକ୍ଷରୁ ମଧ୍ୟ କୌଣସି ସୂଚନା ଦିଆଯାଇ ନାହିଁ ।

ଏହା ଏକ ଷଡଯନ୍ତ୍ର କହିଲା ବିଜେପି:ପୋଲିସ ବନ୍ଦୀ ସଞ୍ଜୟ କୁମାରଙ୍କୁ ଏଭଳି ବଳପୂର୍ବକ ଉଠାଇ ନେବା ଘଟଣାକୁ ବିରୋଧ କରିଛି ବିଜେପି । ଏହାକୁ ନେଇ ଆନ୍ଦୋଳନ କରାଯିବା ବୋଲି ଚେତାବନୀ ଦେଇଛି ଦଳ । ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପ୍ରମେନ୍ଦର ରେଡ୍ଡୀ ଅଭିଯୋଗ କରି କହିଛନ୍ତି, " ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ କୁମାରଙ୍କୁ ପୋଲିସ ରାତି ଅଧିଆ ଗିରଫ କରିଛି । ତାଙ୍କୁ କରିମନଗରର ବାସଭବନରୁ ବେଆଇନ ଭାବେ ଗିରଫ କରାଯାଇଛି । ସଞ୍ଜୟ କୁଆଡେ ଚାଲିଯାଉଥିଲେ କି? ସକାଳୁ ମଧ୍ୟ ତାଙ୍କୁ ହେପାଜତକୁ ନିଆଯାଇ ପାରିଥାନ୍ତା । ଆଗକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରହିଥିବାରୁ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବା ପାଇଁ ଏଭଳି ଷଡଯନ୍ତ୍ର କରି କରାଯାଇଛି । "

ଏହାକୁ ବିରୋଧ କରି ଆନ୍ଦୋଳନର ଚେତାବନୀ ଦେଇଛି ବିଜେପି:ବିଜେପି ସାଧାରଣ ସମ୍ପାଦକ ପ୍ରମେନ୍ଦର ରେଡ୍ଡୀ ଆହୁରି ମଧ୍ୟ କହିଛନ୍ତି, " ଜଣେ ସାଂସଦ ବିରୋଧରେ ଏଭଳି ରାତି ଅଧିଆ କାର୍ଯ୍ୟାନୁଷ୍ଠାନ ନେବାର କ'ଣ ଆବଶ୍ୟକତା ରହିଥିଲା? ସେ କ'ଣ ଅପରାଧ କରିଛନ୍ତି? ଏନେଇ ପୋଲିସ ପକ୍ଷରୁ ଆମକୁ କୌଣସି ସୂଚନା ଦିଆଯାଉ ନାହିଁ । ପେପର ଲିକ ମାମଲାରେ ସେ ସର୍ବଦା ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଥିଲେ, ତେଣୁ ତାଙ୍କୁ ଅକ୍ରୋଶମୂଳକ ଭାବେ ଗିରଫ କରାଯାଇଥାଇପାରେ । କିନ୍ତୁ ଏହା ଗଣତନ୍ତ୍ର ବିରୋଧୀ ଅଟେ ।"

ବନ୍ଦୀ ସଞ୍ଜୟ କୁମାରଙ୍କୁ ପୋଲିସ ଏଭଳି ଉଠାଇ ନେଇଥିବାରୁ ରାଜ୍ୟବ୍ୟାପୀ ପ୍ରତିବାଦ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି । ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ଆମେ ସାରା ରାଜ୍ୟରେ ବିରୋଧ କରିବୁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପ୍ରମେନ୍ଦର ରେଡ୍ଡୀ । ପ୍ରକାଶଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 8 ଏପ୍ରିଲରେ ତେଲେଙ୍ଗାନା ଗସ୍ତର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ସିକନ୍ଦରାବାଦରୁ ତିରୁପତି ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା । ଏହା ପୂର୍ବରୁ ବିଜେପି ରାଜ୍ୟ ସଭାପତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details