ହାଇଦ୍ରାବାଦ: ଦଳର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେସିଆର । ସେ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । 2014 ରୁ ରାଜ୍ୟ ଗଠନ ହେବା ପରେ କେସିଆର କ୍ରାମଗତ ମୁଖ୍ୟମନ୍ତ୍ରୀ ରହିଆସିଥିଲେ । 2018 ରେ ସେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ଚଳିତ ଥର ତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡିଛି । ଦେଶର ସର୍ବକନିଷ୍ଠ ରାଜ୍ୟ ତେଲେଙ୍ଗାନାରେ କଂଗ୍ରେସ ଶାସନ ଆରମ୍ଭ ହେବାକୁ ଯାଉଛି । କଂଗ୍ରେସ ବହୁମତ ପାଇଥିବା ବେଳେ ଦଳର ପ୍ରଦେଶ ଅଧ୍ୟକ୍ଷ ରେବନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବା ନେଇ ସର୍ବାଧିକ ସମ୍ଭାବନା ରହିଛି । ଯାହା ଆଉ କିଛି ସମୟ ମଧ୍ୟରେ ସ୍ପଷ୍ଟ ହୋଇପାରେ ।
ଆଜି 4ଟି ରାଜ୍ୟରେ ଜନାଦେଶ ପ୍ରକାଶ ପାଇଥିବା ବେଳେ, ଚର୍ଚ୍ଚାରେ ଥିଲା ତେଲେଙ୍ଗାନା । ତେଲେଙ୍ଗାନାରେ ଦୀର୍ଘ 9 ବର୍ଷ ଧରି କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି(ବିଆରଏସ)କୁ ଶକ୍ତ ଝଟକା ଲାଗିଛି । ମୁଖ୍ୟମନ୍ତ୍ରୀ କେସିଆର ଲଗାତର ତୃତୀୟ ବିଜୟ ହାସଲ ସହ ହ୍ୟାଟ୍ରିକ କରିବାକୁ ପୁରା ଦମ୍ ଖଟାଇ ଦେଇଥିଲେ ମଧ୍ୟ, ସବୁ ଆଶା ଧୂଳିସାତ କରି ଦେଇଛି କଂଗ୍ରେସ ପାର୍ଟି । ସଂଧ୍ୟାରେ ଫଳାଫଳ ସ୍ପଷ୍ଟ ହେବା ପରେ କେସିଆର ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ।
କେସିଆରଙ୍କ ବିରୋଧରେ ପରିବାରବାଦକୁ ମୁଦ୍ଦା କରି ନିର୍ବାଚନୀ ପ୍ରଚାର କରିଥିଲେ ଉଭୟ କଂଗ୍ରେସ ଓ ବିଜେପି । କେସିଆର ନିଜେ ମୁଖ୍ୟମନ୍ତ୍ରୀ ଥିବା ବେଳେ, ପୁଅ କେଟିଆର ରାଜ୍ୟ ସରକାରରେ ପ୍ରଭାବଶାଳୀ ମନ୍ତ୍ରୀ ପଦରେ ଥିଲେ । ସେହିପରି ଝିଅ କେ. କବିତା ମଧ୍ୟ ବିଆରଏସ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । ତେବେ ବିଆରଏସରେ ପରିବାରବାଦ ଦଳର କିଛି ଭେଟେରାନ ନେତା ଗ୍ରହଣ କରୁନଥିବା ଚର୍ଚ୍ଚା ହେଉଥିଲା ।