ହାଇଦ୍ରାବାଦ:ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ଟପିଛି କଂଗ୍ରେସ ପାର୍ଟି । ଚୂଡ଼ାନ୍ତ ଫଳାଫଳ ଘୋଷଣା ପୂର୍ବରୁ କିଏ ହେବେ ମୁଖ୍ୟମନ୍ତ୍ରୀ, ତାକୁ ନେଇ ଆରମ୍ଭ ହୋଇ ଯାଇଛି ଅଙ୍କକଷା । ରାଜ୍ୟରେ ବିଆରଏସ୍ ସରକାରର ପତନରେ ମୁଖ୍ୟ ଭୂମିକା ନେଇଥିବା, କଂଗ୍ରେସ ପାର୍ଟିର କିଛି ହେବିୱେଟ ନେତାମାନଙ୍କ ନାଁ ଚର୍ଚ୍ଚାକୁ ଆସିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ପିସିସି ସଭାପତି ରେଭାନ୍ଥ ରେଡ୍ଡି, ସାଂସଦ ଉତ୍ତମକୁମାର ରେଡ୍ଡି, ସାଂସଦ କୋମାତିରେଡ୍ଡି ଭେଙ୍କଟ ରେଡ୍ଡି ଏବଂ ମାଲ୍ଲୁ ଭଟ୍ଟି ବିକ୍ରମାର୍କ ।
ରେଭାନ୍ତ ରେଡ୍ଡି:ତେଲେଙ୍ଗାନା କଂଗ୍ରେସରେ ଗେମ୍ ଚେଞ୍ଜର୍ ତଥା ପ୍ରଦେଶ କଂଗ୍ରେସ କମିଟି ସଭାପତି ରେଭାନ୍ତ ରେଡ୍ଡି । ତେଲେଙ୍ଗାନାରେ କଂଗ୍ରେସ ପାର୍ଟିକୁ ଜିରୋରେ ହିରୋ କରିବାରେ ମୁଖ୍ୟ ପୁରୋଧା । ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଗାଦିଚ୍ୟୁତ କରିବାରେ ପ୍ରମୁଖ ଭୂମିକା । ତେଲେଙ୍ଗାନାରେ କଂଗ୍ରେସରୁ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ, ଏହି ଦୌଡ଼ରେ ଆଗରେ ଅଛନ୍ତି ରେଭାନ୍ତ । ତିନି ତିନି ଥରର ବିଧାୟକ ତଥା ବର୍ତ୍ତମାନର ମାଲକାଜଗିରି ସାଂସଦ ରେଭାନ୍ତ, ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ଅଧିକ । ତେଲେଙ୍ଗାନା ରାଜନୀତିରେ ତାଙ୍କର ଅଭିଜ୍ଞତା ଅଧିକ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP)ରୁ ଛାତ୍ର ରାଜନୀତି ଆରମ୍ଭ କରିଥିବା ରେଭାନ୍ତ, ପରେ ଟିଡିପି ଏବଂ ତାପରେ କଂଗ୍ରେସରେ ସାମିଲ ହୋଇଥିଲେ । 2009, 2014 ଏବଂ 2018ରେ କୋଣ୍ଡାଙ୍ଗଲ ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ । 2019 ଲୋକସଭା ନିର୍ବାଚନରେ ମାଲକାଜଗିରିରୁ ବିଜୟୀ ହୋଇଥିଲେ । ରେଭାନ୍ତଙ୍କ ନେତୃତ୍ବରେ 2023 ବିଧାନସଭା ନିର୍ବାଚନ ଲଢ଼ିଛି କଂଗ୍ରେସ । ରେଭାନ୍ତ ଏଥର ଦୁଇଟି ଆସନ କୋଡଙ୍ଗଲ ଏବଂ କାମାରେଡ୍ଡିରୁ ଛିଡ଼ା ହୋଇଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ଗାନ୍ଧି ପରିବାର ଏବଂ କଂଗ୍ରେସ ହାଇକମାଣ୍ଡଙ୍କ ଗୁଡ୍ ବୁକ୍ ରେ ଅଛନ୍ତି ରେଭାନ୍ତ ।
ଏହା ମଧ୍ୟ ପଢ଼ନ୍ତୁ: ତେଲେଙ୍ଗାନାରେ କେସିଆର କ୍ଲିନ୍ ବୋଲ୍ଡ, କାର୍ ପଙ୍କଚର୍ କଲା ହାତ
କୋମାତିରେଡ୍ଡି ଭେଙ୍କଟ ରେଡ୍ଡି:ତେଲେଙ୍ଗାନା କଂଗ୍ରେସରେ ଟାଣୁଆ ନେତା କୋମାତିରେଡ୍ଡି ଭେଙ୍କଟ ରେଡ୍ଡି । ସେ ଭୁବନଗିରି ଲୋକସଭା ଆସନରୁ 2019ରୁ ସାଂସଦ ଅଛନ୍ତି । କୋମାତିରେଡ୍ଡି ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସରୁ ଷ୍ଟାର କ୍ୟାମ୍ପେନର ଥିଲେ । ପୂର୍ବତନ ବିଧାୟକ କୋମାତିରେଡ୍ଡି ପୂର୍ବରୁ ତେଲେଙ୍ଗାନା ବିଧାନସଭାରେ କଂଗ୍ରେସ ପାର୍ଟିରୁ ଉପ ବାଚସ୍ପତି ମଧ୍ୟ ଥିଲେ । ମୁଖ୍ୟମନ୍ତ୍ରୀ ଦୌଡ଼ରେ ତାଙ୍କ ନାଁ ଚର୍ଚ୍ଚା ହେଉଛି।
ଏହା ମଧ୍ୟ ପଢ଼ନ୍ତୁ: କର୍ଣ୍ଣାଟକ ପରେ ତେଲେଙ୍ଗାନା: କାମ ଦେଲା କି କଂଗ୍ରେସର '6 ଗ୍ୟାରେଣ୍ଟି' !