ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭାର 119 ଆସନରେ ଚାଲିଛି ଭୋଟ୍ ଗଣତି । ପ୍ରଥମେ ବାଲାଟ ପେପର ଗଣତି ପରେ ଆରମ୍ଭ ହୋଇଛି ଇଭିଏମ ଗଣତି । ବାଲାଟ ପେପର ଗଣତିରେ ଆଗରେ ରହିଥିଲା କଂଗ୍ରେସ ପାର୍ଟି । କଂଗ୍ରେସ ପ୍ରାର୍ଥୀମାନେ ଅଧିକ ଆସନରେ ଆଗୁଆ ରହିଥିଲେ । ପରେ ଆରମ୍ଭ ହୋଇଥିଲା ଇଭିଏମ ଭୋଟ୍ ଗଣତି । ଇଭିଏମ ଗଣତିର ପ୍ରାଥମିକ ପର୍ଯ୍ୟାୟରେ ଆଗୁଆ ରହିଛି କଂଗ୍ରେସ । ଶାସକ ଦଳ ବିଆରଏସ୍ ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେଉଥିବା ବେଳେ, କଂଗ୍ରେସ ପ୍ରାର୍ଥୀମାନେ ଅଧିକ ଆସନରେ ଆଗୁଆ ଥିବା ଦେଖିବାକୁ ମିଳୁଛି ।
ତେଲେଙ୍ଗାନାରେ ପ୍ରାଥମିକ ଗଣତି ଅନୁସାରେ, କଂଗ୍ରେସ ପାର୍ଟି ଆଗୁଆ ଚାଲିଥିବା ବେଳେ, ବିଆରଏସ୍ ପଛରେ ପଡ଼ିଯାଇଛି । ଦ୍ବିତୀୟ ରାଉଣ୍ଡ ଭୋଟ୍ ଗଣତି ଶେଷ ସୁଦ୍ଧା କଂଗ୍ରେସ 56 ସିଟରେ ଆଗୁଆ ଥିବା ବେଳେ, ବିଆରଏସ୍ 36ଟି ସିଟରେ ଆଗୁଆ ରହିଛି । ସେହିପରି ବିଜେପି ପ୍ରାର୍ଥୀମାନେ 8ଟି ଆସନରେ ଆଗୁଆ ଚାଲିଥିବା ବେଳେ, ଏମ୍ଆଇଏମ୍ 1 ସିଟରେ ଆଗୁଆ ରହିଛି।
ହାଇପ୍ରୋଫାଇଲ୍ ସିଟ୍ ଏବଂ ହେବିୱେଟ୍ ପ୍ରାର୍ଥୀ: ପ୍ରାଥମିକ ଟ୍ରେଣ୍ଡ ଅନୁସାରେ ପିସିସି ସଭାପତି ତଥା କଂଗ୍ରେସ ପ୍ରାର୍ଥୀରେଭାନ୍ତ ରେଡ୍ଡି କାମାରେଡ୍ଡି ବିଧାନସଭା ଆସନରେ ଆଗୁଆ ଅଛନ୍ତି। ଦ୍ବିତୀୟ ରାଉଣ୍ଡ ସୁଦ୍ଧା ରେଭାନ୍ତ, ନିକଟତମ ପ୍ରତିଦ୍ବନ୍ଦୀ ମୁଖ୍ୟମନ୍ତ୍ରୀ ତଥା ବିଆରଏସ ସୁପ୍ରିମୋ କେ. ଚନ୍ଦ୍ରଶେଖର ରାଓଙ୍କ ଠାରୁ ଆଗରେ ଅଛନ୍ତି। ରେଭାନ୍ତ ରେଡ୍ଡି ନିଜର ପାରମ୍ପରିକ ଆସନ କୋଡଙ୍ଗଲରେ ମଧ୍ୟ ଆଗରେ ଚାଲିଛନ୍ତି । ମୁଖ୍ୟମନ୍ତ୍ରୀ କେସିଆର କାମାରେଡ୍ଡିରେ ପଛରେ ଚାଲିଥିବା ବେଳେ, ନିଜ ହୋମଟର୍ଫ ଗଜୱେଲ୍ ଆସନରେ ମଧ୍ୟ କଡ଼ା ଟକ୍କରର ସମ୍ମୁଖୀନ ହୋଇଛନ୍ତି ।
କଣ କହିଥିଲା ଏକଜିଟ ପୋଲ:ଏକାଧିକ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ଏକଜିଟ ପୋଲରେ ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ ଆଶ୍ଚର୍ଯ୍ୟଜନକ ଭାବେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଠାରୁ କଂଗ୍ରେସକୁ ଆଗରେ ରଖିଥିଲେ । 119 ଆସନ ବିଶିଷ୍ଟ ତେଲେଙ୍ଗାନାରେ, ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର 60 ଥିବା ବେଳେ, ଇଣ୍ଡିଆ ଟିଭି -ସିଏନଏକ୍ସ କଂଗ୍ରେସକୁ 63-79 ଆସନ ସହ ସ୍ପଷ୍ଟ ବହୁମତ ମିଳିବା ନେଇ ଆକଳନ କରିଛନ୍ତି । ସେହିପରି ବିଆରଏସ 31-47 ଆସନ ସହ ବହୁମତ ପଛରେ ରହିବା ନେଇ ସଂସ୍ଥା କହିଛି ।