ଓଡିଶା

odisha

ETV Bharat / bharat

ତେଲେଙ୍ଗାନାରେ ମୋଦିଙ୍କ ରଣହୁଙ୍କାର: କହିଲେ ଏଥର କେସିଆର ଖେଳ ଖତମ - ବିଆରଏସକୁ ମୋଦିଙ୍କ ଟାର୍ଗେଟ

ବିଧାନସଭା ନିର୍ବାଚନୀମୁହାଁ ତେଲେଙ୍ଗାନାରେ ଗୋଟିଏ ଦିନରେ ରୋଡ ଶୋ ଓ 2ଟି ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

pm modi at Telangana
PM Modi Addressing rally in Telangana

By ETV Bharat Odisha Team

Published : Nov 28, 2023, 9:17 AM IST

Updated : Nov 28, 2023, 11:40 AM IST

ହାଇଦ୍ରାବାଦ:ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ମଝିରେ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ରାଜ୍ୟରେ ଘନ ଘନ ଜନସଭା, ରୋଡ ଶୋ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ପ୍ରଧାନମନ୍ତ୍ରୀଙ୍କ ତେଲେଙ୍ଗାନା ଗସ୍ତର ଅନ୍ତିମ ଦିନ ଥିଲା । ଗୋଟିଏ ଦିନରେ ରାଜ୍ୟର ଦୁଇଟି ସ୍ଥାନରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଡଙ୍ଗା ବୁଡିବାକୁ ବସିଛି । ଡିସେମ୍ବର 3ରେ ତାଙ୍କର ଟିକେଟ କଟିଯିବ । କେସିଆର ଏହା ବୁଝିଥିବାରୁ ବ୍ୟତିବ୍ୟସ୍ତ ବିଚଳିତ ହେଲେଣି । ତେଲେଙ୍ଗାନାର କରିମନଗରରେ ଏକ ଜନସଭାକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

କରିମନଗରରେ ନିର୍ବାଚନୀ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେସିଆରଙ୍କୁ କ୍ଷମତାରୁ ହଟାଇବାକୁ ଟ୍ରେଲର ଦେଖାଇ ସାରିଛନ୍ତି କରିମନଗରବାସୀ । ଏଥର ନିର୍ବାଚନରେ ଖେଳ ଖତମ ହେବ । ଆଜି ପୁରା ତେଲେଙ୍ଗାନା ଗୋଟିଏ କଥା କହୁଛି, ଗାଁ ହେଉ କି ସହର ସବୁଠି ଗୋଟିଏ କଥା ଏଥର ବିଜେପି ସରକାର ଆସିବ । ବିଆରଏସ ଡଙ୍ଗା ବୁଡିବାକୁ ବସିଛି । ଏଥର ନିର୍ବାଚନରେ ବିଆରସ ଖେଳ ଶେଷ ହେବ । ଏଥର ନିର୍ବାଚନରେ କେସିଆରକୁ ଲୋକ ଫୁଲ ଫିଲ୍ମ ଦେଖାଇବେ । ଡିସେମ୍ବର 3ରେ ବିଆରଏସର ଟିକେଟ କଟିବ ।

ଆମେ ନିଷ୍ପତ୍ତି ନେଉଛୁ ଦୁର୍ନୀତିଗ୍ରସ୍ତଙ୍କୁ ଜେଲ ପଠାଇବୁ । ମଦ, ଜମି ଓ ପେପର ଲିକ ଦୁର୍ନୀତିରେ ସାମିଲ ଥିବା ସମସ୍ତେ ଜେଲ ଯିବେ । ବିଜେପି ତୁମକୁ ପ୍ରତିଶ୍ରୁତି ଦେଇଛି ତେଲେଙ୍ଗାନାର ପ୍ରଥମ ମୁଖ୍ୟମନ୍ତ୍ରୀ ପଛୁଆ ବର୍ଗର ହେବେ । ଆଗାମୀ 5 ବର୍ଷ ତେଲେଙ୍ଗାନା ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ । ତେଲେଙ୍ଗାନାକୁ ତାର ଭାଗ୍ୟ ହାତରେ ଛଡାଯିବ ନାହିଁ ସ୍ବପ୍ନର ତେଲେଙ୍ଗାନା ବନାଇବାକୁ ହେବ । ବିଜେପି ପାଇଁ ପ୍ରଥମ ପ୍ରାଥମିକତା ହେଉଛି ଦେଶର ବିକାଶ, ରାଜ୍ୟର ବିକାଶ । ମୁଁ ସବୁଠି ପରିବର୍ତ୍ତନ ପବନ ବହୁଥିବା ଦେଖିବାକୁ ପାଉଛି । କଂଗ୍ରେସ ଓ କେସିଆର ତୁମକୁ ଧୋକା ଦେବାର କୌଣସି ସୁଯୋଗ ଛାଡି ନାହାନ୍ତି ।

ଏହା ବି ପଢନ୍ତୁ...ମୁଁ ଏଠାକୁ ପ୍ରାୟଶ୍ଚିତ କରିବାକୁ ଆସିଛି: ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ...ତେଲେଙ୍ଗାନାବାସୀ BRS ଓ କଂଗ୍ରେସଠୁ ମୁକ୍ତି ଚାହାନ୍ତି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ତେଲେଙ୍ଗାନାରେ ବିଜେପି ସରକାର ଆସିଲେ ମଦ ଦୁର୍ନୀତର ତଦନ୍ତ ହେବ । ଯେଉଁମାନେ ଜନତାଙ୍କୁ ଲୁଟିଛନ୍ତି ସେମାନଙ୍କୁ ତାହା ଫେରାଇବାକୁ ପଡିବ । ଏହା ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି । କଂଗ୍ରେସକୁ ଭୋଟ ଦେବାର ଅର୍ଥ କେସିଆରଙ୍କ ପାଇଁ କ୍ଷମତା ଦଖଲର ରାସ୍ତା ଖୋଲିବା । କାରଣ କଂଗ୍ରେସ ବିଧାୟକଙ୍କ ଉପରେ କୌଣସି ଗ୍ୟାରେଣ୍ଟି ନାହିଁ । ସେମାନେ କେତେବେଳ ବି ବିଆରଏସରେ ମିଶିଯିବେ । ଯଦି ଏଠାରେ ପୁଣି ବିଆରଏସ ସରକାର ଆସେ ତେବେ ରାଜ୍ୟକୁ ନିଜର ଏଟିଏମ କରିଦେବ । ତେଣୁ ଗୋଟିଏ ରୋଗକୁ ଶେଷ କରିବାକୁ ଆଉ ଗୋଟିଏ ରୋଗ ଆଣନ୍ତୁ ନାହିଁ । ସ୍ବପ୍ନର ତେଲେଙ୍ଗାନା ଗଠନ ପାଇଁ ବିଜେପି ସରକାର ଆସିବା ଜରୁରୀ ।

ମହବୁବାବାଦରେ ମୋଦିଙ୍କ ରୋଡ ଶୋ':କରିମନଗର ପୂର୍ବରୁ ମହବୁବାବାଦରେ ମେଗା ରାଲି ରୋଡ ଶୋ କରିବା ସହ ଜନସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଜନସଭାରେ କହିଥିଲେ କଂଗ୍ରେସ ଓ ବିଆରଏସ ତେଲେଙ୍ଗାନାକୁ ବର୍ବାଦ କରିଛନ୍ତି । ଧର୍ମ ନାମରେ ସେମାନେ ତୁଷ୍ଟିକରଣ, ପରିବାରବାଦ ଏବଂ ଦୁର୍ନୀତି କରନ୍ତିି । ରାଜ୍ୟବାସୀ କେସିଆର ସରକାରକୁ ନିର୍ମୂଳ କରିବାକୁ ସଂକଳ୍ପ ନେଇଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବିଜେପି ସହ ବନ୍ଧୁତା କରିବାକୁ ଚାହୁଁଥିଲେ । କେସିଆର ନେତୃତ୍ବାଧୀନ ବିଆରସକୁ ବିଜେପି ନିକଟତର ହେବାକୁ ଦିଆଯିବ ନାହିଁ । ବିଆରଏସକୁ କେବେବି ଏନଡିଏ ନିକଟତର ହେବାକୁ ଦିଆଯିବ ନାହିଁ । ଏଥର ନିର୍ବାଚନରେ କେସିଆର ଶାସନ ଶେଷ ହେବ । ରାଜ୍ୟରେ ବିଜେପି ସରକାର ଆସିଲେ ପ୍ରଥମ ମୁଖ୍ୟମନ୍ତ୍ରୀ ପଛୁଆ ବର୍ଗର ହେବେ । ଡବଲ ଇଞ୍ଜିନ ସରକାରରେ ତେଲେଙ୍ଗାନାର ଗାଁ ଓ ସହରର ବିକାଶ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ।

ପ୍ରକାଶ ଥାଉ କି, ଆସନ୍ତା ନଭେମ୍ବର 30 ତାରିଖରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । 119 ଆସନରେ ଭୋଗ ଗ୍ରହଣ ହେବ । ଡିସେମ୍ବର 3 ତାରିଖରେ ଫଳାଫଳ ପ୍ରକାଶ ପାଇବ । 2024 ଜାନୁଆରୀ 16ରେ ତେଲେଙ୍ଗାନା ବିଧାନସଭାନ କାର୍ଯ୍ୟକାଳ ଶେଷ ହେବ । 2018 ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ସେବେର ଟିଆରଏସ ତଥା ଏବେର ବିଆରଏସ ସରକାର ଗଠନ କରିଥିଲା । କେ. ଚନ୍ଦ୍ରଶେଖର ରାଓ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Last Updated : Nov 28, 2023, 11:40 AM IST

ABOUT THE AUTHOR

...view details