ହାଇଦ୍ରାବାଦ: ବିଧାନସଭା ନିର୍ବାଚନକୁ ନେଇ ତେଲେଙ୍ଗାନାରେ ରାଜନୈତିକ ତାତି ବଢ଼ିବାରେ ଲାଗିଛି । ଚଳିତ ମାସ (ନଭେମ୍ବର) 30 ତାରିଖରେ ଭୋଟ୍ ଏବଂ ଡିସେମ୍ବର 3 ତାରିଖରେ ଫଳାଫଳ ଘୋଷଣା । ରାଜ୍ୟରେ 119ଟି ଯାକ ବିଧାନସଭା ଆସନରେ ଗୋଟିଏ ଦିନରେ (ନଭେମ୍ବର 30) ହେବ ଭୋଟ୍ ଗ୍ରହଣ । ନିର୍ବାଚନକୁ ସୁରୁଖୁରୁରେ ସଂପନ୍ନ କରିବାକୁ ନିର୍ବାଚନ କମିଶନ ସମସ୍ତ ବନ୍ଦୋବସ୍ତ କରିଥିବା ବେଳେ, ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ଛାତିରେ ପଶିଛି ଛନକା । ଏପଟେ ରେଜଲ୍ଟକୁ ନେଇ ଭୋଟରଙ୍କ ମଧ୍ୟରେ ବଢ଼ୁଛି ଉତ୍କଣ୍ଠା ।
ତେଲେଙ୍ଗାନା ବିଧାନସଭା ନିର୍ବାଚନ ମୈଦାନରେ ଅଛନ୍ତି ମୋଟ୍ 2290 ଜଣ ପ୍ରାର୍ଥୀ । 119 ଆସନ ବିଶିଷ୍ଟ ବିଧାନସଭା ପାଇଁ ଚଳିତ ମାସ 30 ତାରିଖରେ ଭୋଟ୍ ଗ୍ରହଣ ହେଉଥିବା ବେଳେ, ଚର୍ଚ୍ଚାରେ ରହିଛି ହାଇଦ୍ରାବାଦର ଏଲ.ବି. ନଗର ବିଧାନସଭା କ୍ଷେତ୍ର । ଏଠାରେ ପ୍ରତିଦ୍ବନ୍ଦିତା କରୁଛନ୍ତି ସର୍ବାଧିକ 48 ଜଣ ପ୍ରାର୍ଥୀ । ଅନ୍ୟପକ୍ଷରେ ବଂଶୱାଡ଼ା ଏବଂ ନାରାୟଣପେଟ୍ ବିଧାନସଭା ଆସନରେ ମୈଦାନରେ ଅଛନ୍ତି ସବୁଠୁ କମ୍ 7 ଜଣ ଲେଖାଏଁ ପ୍ରାର୍ଥୀ । ଶାସକ ଦଳ ଭାରତ ରାଷ୍ଟ୍ର ସମିତି(BRS) ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନିର୍ବାଚନ ମଣ୍ଡଳୀ ଗଜୱେଲରେ 44 ଜଣ ଏବଂ କାମାରେଡ୍ଡିରେ 39 ଜଣ ପ୍ରାର୍ଥୀ ଲଢୁଛନ୍ତି । ଗଜୱେଲ କେସିଆରଙ୍କ ପାରମ୍ପରିକ ଆସନ ହୋଇଥିବା ବେଳେ, ସେ ଏଥର କାମାରେଡ୍ଡିରୁ ମଧ୍ୟ ପ୍ରତିଦ୍ବନ୍ଦିତା କରୁଛନ୍ତି । ତେଲେଙ୍ଗାନାରେ ଏଥର ବହୁମୁଖୀ ଲଢ଼େଇ ହେଉଥିବା ବେଳେ, ସିଂହଭାଗ ସିଟରେ BRS ଏବଂ କଂଗ୍ରେସ ମଧ୍ୟରେ ସିଧା ସଳଖ ଟକ୍କର ହେବାର ସମ୍ଭାବନା ରହିଛି ।
ହାଇପ୍ରୋଫାଇଲ୍ ପ୍ରାର୍ଥୀ: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ସବୁ ଦଳରୁ ରହିଛନ୍ତି ହାଇ ପ୍ରୋଫାଇଲ ପ୍ରାର୍ଥୀ । ଶାସକ ଦଳ BRSରୁ ଲଢ଼ୁଛନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ( ଗଜୱେଲ ଓ କାମାରେଡ୍ଡି ଆସନ) ଏବଂ ପୁଅ କେ.ଟି. ରାମାରାଓ(ସିରସିଲା ଆସନ) । ସେହିପରି କଂଗ୍ରେସ ହେବିୱେଟଙ୍କ ମଧ୍ୟରେ ଅଛନ୍ତି ପିସିସି ସଭାପତି ତଥା ମାଲକାଜଗିରି ସାଂସଦ ରେଭାନଥ ରେଡ୍ଡି (କୋଡାନଦା ଓ କାମାରେଡ୍ଡି ଆସନ), ନାଲଗୋଣ୍ଡା ସାଂସଦ ଉତ୍ତମ ରେଡ୍ଡି( ହଜୁରନଗର ଆସନ), ଭୋଙ୍ଗିର ସାଂସଦ କେ. ଭେଙ୍କଟ ରେଡ୍ଡି( ନାଲଗୋଣ୍ଡା ଆସନ) ଏବଂ ମହମ୍ମଦ ଆଝାରୁଦ୍ଦିନ( ଜୁବଲି ହିଲ୍ସ ଆସନ) କଂଗ୍ରେସ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି । ସେପଟେ ବିଜେପି ହାଇ ପ୍ରୋଫାଇଲ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ଇଟଲା ରାଜେନ୍ଦ୍ର( ହଜୁରାବାଦ ଆସନ) ଏବଂ ବିଜେପିର ଏକମାତ୍ର ବିଧାୟକ ଟି. ରାଜାସିଂହ( ଗୋଷୋମହଲ ଆସନ) ।
କେସିଆର ବନାମ ରେଭାନଥ:ତେଲେଙ୍ଗାନା ନିର୍ବାଚନରେ ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ କେସିଆର ଏବଂ ରାଜ୍ୟ ପିସିସି ସଭାପତି ରେଭାନଥ ରେଡ୍ଡି । କାମାରେଡ୍ଡି ଆସନରେ ପରସ୍ପର ବିରୋଧରେ ଛିଡ଼ା ହୋଇଛନ୍ତି ବିଆରଏସ ସୁପ୍ରିମୋ ଏବଂ କଂଗ୍ରେସ ପ୍ରଦେଶ କମିଟି ସଭାପତି । ଯଦିଓ ଉଭୟ କେସିଆର ଏବଂ ରେଭାନଥ ଦୁଇଟି ଲେଖାଏଁ ଆସନରେ ପ୍ରାର୍ଥୀ ହୋଇଛନ୍ତି । ତେବେ କାମାରେଡ୍ଡି ବିଧାନସଭା ଆସନରେ ଦୁହିଁଙ୍କ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିରୋଧରେ ଲଢ଼ିବେ ବୋଲି ରେଭାନଥ ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ ।
ନିର୍ଣ୍ଣାୟକ ହେବେ ବିଦ୍ରୋହୀ ! ତେଲେଙ୍ଗାନା ନିର୍ବାଚନ ଯେତେ ପାଖଉଛି, ରାଜ୍ୟରେ ରାଜନୈତିକ ସମୀକରଣ ସେତେ ବଦଳୁଛି । ଏଥର ନିର୍ବାଚନରେ ଚର୍ଚ୍ଚିତ ଖବର ହେଉଛି ବିଦ୍ରୋହୀ ପ୍ରାର୍ଥୀ । ଦଳୀୟ ଟିକେଟରୁ ବଞ୍ଚିତ ହୋଇ ଅନେକ ହେବି ୱେଟ୍ ନେତା, ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ସବୁ ଦଳରେ ଅଛନ୍ତି ବିଦ୍ରୋହୀ ପ୍ରାର୍ଥୀ । ରାଜନୀତି ସମୀକ୍ଷକଙ୍କ ମତରେ, ଏଥର ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିଦ୍ରୋହୀ ପ୍ରାର୍ଥୀ ନେଇ ପାରନ୍ତି ନିର୍ଣ୍ଣାୟକ ଭୂମିକା । କେତେକ ଆସନରେ ଫଳାଫଳକୁ ପ୍ରଭାବିତ କରିପାରନ୍ତି ବିଦ୍ରୋହୀ ପ୍ରାର୍ଥୀ ।
ତେଲେଙ୍ଗାନାରେ ୨୦୨୩ ବିଧାନସଭା ନିର୍ବାଚନରେ ମତଦାନ କରିବେ ମୋଟ୍ ୩.୨୬ କୋଟି ଭୋଟର । ସେରିଲିଙ୍ଗମପଲ୍ଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୭.୩୨ ଲକ୍ଷ ଭୋଟର ଥିବା ବେଳେ, ଭଦ୍ରାଚଳମ ଆସନରେ ଅଛନ୍ତି ସର୍ବନିମ୍ନ ୧.୪୯ ଲକ୍ଷ ଭୋଟର ।