ଲକ୍ଷ୍ନୌ: ହନିଟ୍ରାପର ଶିକାର ହେଲେ ଭାରାତୀୟ ସେନାର ମେଜର(Army major falls for honey trap in lucknow) । ପ୍ରଥମେ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ସହ ବନ୍ଧୁତା ଆରମ୍ଭ କରିବା ପରେ ଉଭୟଙ୍କ ମଧ୍ୟରେ ବଢିଥିଲା ସମ୍ପର୍କ । ହନିଟ୍ରାପରେ ଫସିଯାଇ ଅନେକ ବ୍ୟକ୍ତିଗତ ତଥ୍ୟ ଦେଇଥିଲେ ମେଜର । ଶେଷରେ ଯୁବତୀ ଜଣଙ୍କ ବ୍ଲାକମେଲ କରି ଟଙ୍କା ମାଗିବା ଆରମ୍ଭ କରି ଦେଇଥିଲେ । ଟଙ୍କା ଦେବାକୁ ମନା କରିବାରୁ ମହିଳା ବନ୍ଧୁ ମେଜରଙ୍କ ସହ ଥିବା ବ୍ୟକ୍ତିଗତ କଥାବାର୍ତ୍ତା ବିଷୟରେ ଭାରତୀୟ ସେନାର ଅଫିସିଆଲ୍ ମେଲ୍ ଆଇଡି ଏବଂ ଅନ୍ୟ କେତେକ ଲୋକଙ୍କୁ ପଠାଇଥିଲେ । ଏନେଇ ମେଜର ଲକ୍ଷ୍ନୌ କ୍ୟାଣ୍ଟ ପୋଲିସ ଷ୍ଟେସନରେ ଏକ ମାମଲା ଦାଖଲ କରିଛନ୍ତି । ବର୍ତ୍ତମାନ କୋର୍ଟଙ୍କ ନିର୍ଦ୍ଦେଶରେ ଏକ ମାମଲା ରୁଜୁ ହୋଇଛି । ସେନାର ଉଚ୍ଚ ପଦାଧିକାରୀମାନଙ୍କୁ ଜଣାଇବା ପରେ ତଦନ୍ତ ଆରମ୍ଭ ହୋଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।
ସୋସିଆଲ ମଡିଆରେ ଆରମ୍ଭ ହୋଇଥିଲା ବନ୍ଧୁତା
ତେଲେଙ୍ଗାନାର ବାଚପାଲେ ଅଞ୍ଚଳର ବାସିନ୍ଦା ଲକ୍ଷ୍ନୌ ଜୋନ୍ରେ ଭାରତୀୟ ସେନାର ମେଜର ଭାବେ ନିୟୋଜିତ ଅଛନ୍ତି । ୨୦୨୦ରେ ସେ NEET PG ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ସୋସିଆଲ ମିଡିଆରେ ସାକ୍ଷୀ ବା ଚନ୍ଦନା ଜୈନ ନାମକ ଜଣେ ଯୁବତୀ ତାଙ୍କ ସହ କଥା ହୋଇଥିଲେ । ଏହାପରେ ଦୁହେଁ ଦୁହିଁଙ୍କୁ ନିଜର ପରିଚୟ ଦେଇଥିଲେ । ସମ୍ପର୍କ ନିବିଡ ହେବା ପରେ ମେଜର NEET ପାଇଁ ପ୍ରସ୍ତୁତ ହେଉଥିବା ସେ ଜାଣିବାକୁ ପାଇଥିଲେ । ଏହାପରେ ଯୁବତୀ ଜଣଙ୍କ ନ୍ୟାସନାଲ ଏଜୁକେସନ୍ ବୋର୍ଡର କିଛି ଅଧିକାରୀଙ୍କୁ ଜାଣିଥିବା କଥା କହିଥିଲେ । ସେମାନଙ୍କୁ କହି ପରୀକ୍ଷାରେ ଭଲ ସ୍କୋର୍ କରାଇଦେବେ ବୋଲି ମେଜର୍ଙ୍କୁ କହିଥିଲେ । କିନ୍ତୁ ଏଥିରେ ମେଜର ଅରାଜି ହୋଇ କଥା ବାର୍ତ୍ତା ବନ୍ଦ କରିଦେଇଥିଲେ ।