ହାଇଦ୍ରାବାଦ:ଭାରତୀୟ ଜନତା ପାର୍ଟି ସାଂସଦ ତଥା ଦଳର ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ବୀ ସୂର୍ୟା ଚେନ୍ନାଇରୁ ଥିରୁଅନନ୍ତପୁରମ ଯାଉଥିବା ଇଣ୍ଡିଗୋ ବିମାନରେ ଯାତ୍ରା ବେଳେ ବିମାନର ଏମରଜେନ୍ସି ଡୋର ଖୋଲିବା ଘଟଣାରେ ଉଡାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସିଧାସଳଖ ନାମ ନେଇ ଏହି ଘଟଣାକୁ ସ୍ବୀକାର କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ସିନ୍ଧିଆ କହିଛନ୍ତି, ଯାତ୍ରା ସମୟରେ ଜଣେ ଯାତ୍ରୀ ଏପରି କରିଥିବା ସୂଚନା ମିଳିଛି । ଘଟଣା ପରେ ସମ୍ପୃକ୍ତ ଯାତ୍ରୀ ତ୍ରୁଟିବଶତଃ ଏପରି କରିଥିବା ସ୍ବୀକାର କରିବା କ୍ଷମା ମଧ୍ୟ ପ୍ରାର୍ଥନା କରିଥିଲେ । ପରେ ଆବଶ୍ୟକ ପ୍ରକ୍ରିୟା ଶେଷ କରି ବିମାନ ଉଡାଣ ଭରିଥିଲା ।
ତେବେ ଏପରି କରିଥିବା ଯାତ୍ରୀଜଣଙ୍କ ବିଜେପି ସାଂସଦ ତେଜସ୍ବୀ ସୂର୍ୟା ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ଘଟଣାକୁ ପ୍ରତ୍ୟେକ୍ଷରେ ମନ୍ତ୍ରୀ ସିନ୍ଧିଆ କିନ୍ତୁ ସ୍ବୀକାର କରିନାହାନ୍ତି । ଜଣେ ଯାତ୍ରୀ ଏପରି କରିଥିବା ବେଳେ ତାଙ୍କ ସମ୍ପର୍କରେ ଏୟାର ଲାଇନ୍ସ ନିର୍ଦ୍ଦିଷ୍ଟ କିଛି ସୂଚନା ଦେଇନଥିବା ସିନ୍ଧିଆ କହିଛନ୍ତି । ଡିସେମ୍ବର 10ରେ ଘଟଣା ଘଟିଥିଲା । DGCAର ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ ହୋଇଥିଲା । ତେବେ ଏକାଧିକ ଗଣମାଧ୍ୟମରେ ତେଜସ୍ବୀ ଏପରି କରିଥିବା ନେଇ ଖବର ପ୍ରସାରିତ ହୋଇଥିଲା । ଇଣ୍ଡିଗୋ ଏୟାର ଲାଇନ୍ସ DGCAକୁ ଅବଗତ କରିଥିଲେ ସୁଦ୍ଧା ନିର୍ଦ୍ଦିଷ୍ଟ କୌଣସି ରାଜନେତା କିମ୍ବା ସାଂସଦ ବୋଲି ଦର୍ଶାଇନଥିଲା ।