ନୂଆଦିଲ୍ଲୀ:ପାକିସ୍ତାନ ସମର୍ଥିତ ତଥା କାଶ୍ମୀର ବିଛିନ୍ନତାବାଦୀ ସଂଗଠନ ତେହେରିକ-ଇ-ହୁରିୟତକୁ ବ୍ୟାନ ଘୋଷଣା କଲା କେନ୍ଦ୍ର । ଜମ୍ମୁ ଓ କାଶ୍ମୀରରେ ବିଛିନ୍ନତାବାଦ ଓ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରତ୍ସାହିତ କରିବା ତଥା ଦେଶ ବିରୋଧୀ କାର୍ଯ୍ୟକଳାପରେ ଏହି ସଂଗଠନ ଗତ କିଛି ଦଶନ୍ଧି ଧରି ଜଡିତ ଥିଲା । ହୁରିଅତ ନେତା ସୟଦ ଅଲ୍ଲୀ ଶାହ ଗିଲାନୀ ଏହାର ନେତୃତ୍ବ ନେଉଥିଲେ । ଆଜି UAPA ଅଧିନିୟମ ଅଧୀନରେ କେନ୍ଦ୍ର ସରକାର ଏହାକୁ ବେଆଇନ ସଂଗଠନ ଘୋଷଣା କରିବା ସହ ଏହାର ସମସ୍ତ କାର୍ଯ୍ୟପଳାପ ଉପରେ ବ୍ୟାନ ଘୋଷଣା କରିଥିବା ଟ୍ବିଟ୍ କରି କେନ୍ଦ୍ର ଗୃହମନ୍ତ୍ରୀ ଶାହ ସୂଚନା ଦେଇଛନ୍ତି।
କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଗୃହମନ୍ତ୍ରୀ ଶାହ ଟ୍ବିଟ୍ କରି ଲେଖିଛନ୍ତି,"ପୃଥକ କାଶ୍ମୀର ନାମରେ ଭାରତ ବିରୋଧୀ ପ୍ରୋପାଗଣ୍ଡା ମାଧ୍ୟମରେ କାଶ୍ମୀରରେ ଏହି ସଂଗଠନ ବିଚ୍ଛନ୍ନତାବାଦ ଓ ଆତଙ୍କବାଦକୁ ପ୍ରତ୍ସାହିତ କରିଆସୁଥିଲା । ଏହି ସଂଗଠନ କାଶ୍ମୀରର ଇସଲାମିକ ଆଇନ ଲାଗୁ କରିବା ପାଇଁ ବିଭିନ୍ନ କାର୍ଯ୍ୟକଳାପ ଜାରି ରଖିଥିଲା । UAPA ଅଧୀନରେ 'ତେହେରିକ-ଇ-ହୁରିୟତ (TeH)କୁ ବେଆଇନ ସଙ୍ଗଠନ ଘୋଷିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତଙ୍କବାଦ ପ୍ରତି ଶୂନ୍ୟ-ସହନଶୀଳତା ନୀତି ଅନୁଯାୟୀ, ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଥିବା କୌଣସି ବ୍ୟକ୍ତିବିଶେଷ କିମ୍ବା ସଂଗଠନ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"
ପାକିସ୍ତାନ ସମର୍ଥିତ ଏହି ଭାରତ ବିରୋଧୀ ସଂଗଠନ ଘାଟିରେ ଆତଙ୍କବାଦକୁ ପ୍ରତ୍ସାହିତ କରିବା, ସୁରକ୍ଷା ବଳ ଉପରେ ଆକ୍ରମଣ ଓ ପଥରମାଡ଼ ଘଟଣାରେ ବଡ଼ ଭୂମିକା ଗ୍ରହଣ କରିଆସୁଥିଲା । ଘାଟିରେ ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନରେ ନିପାତ ହେଉଥିବା ଆତଙ୍କବାଦୀଙ୍କୁ ଏହି ସଂଗଠନ ଶ୍ରଦ୍ଧାଞ୍ଜଳି ଦେବା ସହ ସ୍ବତନ୍ତ୍ର କାଶ୍ମୀର ଆନ୍ଦୋଳନର ଶହୀଦ ବୋଲି ମଧ୍ୟ ବିବେଚନା କରୁଥିଲା । ଘାଟିରେ ଆତଙ୍କବାଦୀଙ୍କୁ ମୃତଦେହକୁ ଶୋଭାଯାତ୍ରା ଆୟୋଜନ କରିବାରେ ମଧ୍ୟ ଏହି ସଂଗଠନର ଭୂମିକା ଥିଲା । ବର୍ଷ 2021 ରେ ଏହାର ନେତା ସୟଦ ଅଲ୍ଲୀ ଶାହ ଗିଲାନୀଙ୍କ ମୃତ୍ୟୁ ହୋଇଥିଲା । ଗିଲାନୀଙ୍କ ମୃତ୍ୟୁର ଶୋକ ମଧ୍ୟ ପାକିସ୍ତାନରେ ପାଳିତ ହୋଇଥିଲା । ତେବେ ଆଜି କେନ୍ଦ୍ର ସରକାର ଏହାକୁ ବ୍ୟାନ ଘୋଷଣା କରିଛନ୍ତି ।