ଓଡିଶା

odisha

Teachers Day: ଅନ୍ଧାରରୁ ଆଲୋକର ପଥ ପ୍ରଦର୍ଶକ ଗୁରୁ, ଗୁରୁ ବିନା ଜ୍ଞାନ ନାହିଁ

By ETV Bharat Odisha Team

Published : Sep 5, 2023, 7:28 AM IST

ବିଦ୍ୟାର୍ଥୀଙ୍କ ଜୀବନରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଯିଏ ଆଲୋକର ପ୍ରଦୀପ ଜଳାନ୍ତି, ସେ ହେଲେ ଗୁରୁ । ଗୁରୁ ବିନା ଜ୍ଞାନ ନାହିଁ । ଆଜି ଗୁରୁ ଦିବସ ଅବସରରେ ସବୁ ଗୁରୁମାନଙ୍କୁ କୋଟି କୋଟି ପ୍ରଣାମ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଗୁରୁଙ୍କୁ ନ ମଣିବ ନର ଗୁରୁ ହିଁ ସାକ୍ଷାତ ଇଶ୍ବର । ଇଶ୍ବରଙ୍କ ଅନ୍ୟ ରୂପ ହେଲେ ଗୁରୁ । ସ୍ବୟଂ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କ ଚଳନ୍ତି ପ୍ରତିମା । 'ଗୁ'ର ଅର୍ଥ ଅନ୍ଧାର ଆଉ 'ରୁ' ଅର୍ଥ ଆଲୋକ । ଛାତ୍ରଛାତ୍ରୀଙ୍କ ଜୀବନରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକର ପ୍ରଦୀପ ଜଳାନ୍ତି ଗୁରୁ । ଗୁରୁ ବିନା ଜ୍ଞାନ ନାହିଁ । ଜଣେ ପିଲାଟି ଜୀବନରେ ମାତାପିତାଙ୍କ ପରେ ଯିଏ ଶିକ୍ଷା ଦିଅନ୍ତି ସେ ହେଉଛନ୍ତି ଗୁରୁ । ବିଦ୍ୟାର୍ଥୀଙ୍କ ଛୋଟ ବଡ଼ ଭୁଲକୁ କ୍ଷମା କରି ଉଚିତ୍ ଶିକ୍ଷା ଦେଇ ସେମାନଙ୍କ ଜୀବନ ଗଠନରେ ଶ୍ରେଷ୍ଠ ଭୂମିକା ଗ୍ରହଣ କରନ୍ତି । ପ୍ରତିଟି ବିଦ୍ୟାର୍ଥୀର ଜୀବନରେ ଆଲୋକବର୍ତ୍ତିକା ସାଜିଥିବା ଗୁରୁଙ୍କ ସମ୍ମାନାର୍ଥେ ଆଜି ସାରା ଦେଶରେ ଗୁରୁ ଦିବସ ପାଳନ କରାଯାଉଛି ।

କାହିଁକି ପାଳନ କରାଯାଏ ଗୁରୁ ଦିବସ:ବାସ୍ତବରେ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନକୁ ଗୁରୁ ଦିବସ ଭାବରେ ପାଳନ କରାଯାଇଆସୁଛି । ସେ ରାଷ୍ଟ୍ରପତି ଥିବାବେଳେ ଜନସାଧାରଣ ତାଙ୍କର ଜନ୍ମଦିନ ପାଳନ କରିବାକୁ ଅନୁମତି ମାଗିଥିଲେ । ସେ କହିଥିଲେ ଯେ, ମୋ ଜନ୍ମଦିନ ନୁହେଁ, ଦିନଟିକୁ ଗୁରୁ ଦିବସ ରୂପେ ପାଳନ କରାଗଲେ ମୁଁ ଖୁସି ହେବି । ସେହିଦିନଠୁ ସେପ୍ଟେମ୍ବର ୫କୁ ଗୁରୁ ଦିବସ ରୂପେ ସାରା ଦେଶରେ ପାଳନ କରାଯାଏ । ରାଧାକ୍ରିଷ୍ଣନ ଦେଶର ପ୍ରଥମ ଉପରାଷ୍ଟ୍ରପତି ଏବଂ ଦ୍ବିତୀୟ ରାଷ୍ଟ୍ରପତି ଥିଲେ ।

୧୮୮୮ ମସିହା ସେପ୍ଟେମ୍ବର ମାସ ୫ ତାରିଖରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ । ତାମିଲନାଡୁର ଗୋଟିଏ ଛୋଟ ଗାଁ ତିରୁତନୀ ଠାରେ ଜନ୍ମଗ୍ରହଣ କରିଥିଲେ । ଖ୍ରୀଷ୍ଟିଆନ ମିସନାରୀ ସ୍କୁଲରୁ ତାଙ୍କର ପାଠପଢା ଆରମ୍ଭ ହୋଇଥିଲା । ୧୯୦୯ରେ ତାଙ୍କୁ ମାଡ୍ରାସ ପ୍ରେସିଡେନ୍ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ମିଳିଥିଲା । ୧୯୧୮ରେ ରାଧାକ୍ରିଷ୍ଣ ମହୀଶୂର ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ । ଏହାପରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳଯ, କଲିକତା ବିଶ୍ବବିଦ୍ୟାଳୟ, ଲଣ୍ଡନର ହାର୍ଭାଡ ବିଶ୍ବବିଦ୍ୟାଳୟ ଓ ମାଞ୍ଚଷ୍ଟର ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ୧୯୪୯ ମସିହାରେ ସୋଭିଏତ ଋଷିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ ।

ରାଧାକ୍ରିଷ୍ଣ ଏକାଧାରରେ ଜଣେ ଉତ୍କୃଷ୍ଟ ବକ୍ତା ଓ ହିନ୍ଦୁ ବିଚାରକ ଥିଲେ । ଏହାସହିତ ଜଣେ ମହାନ ଶିକ୍ଷକ ଭାବେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲେ । ତାଙ୍କ ମତ ଥିଲା, ଯଦି ପିଲାଟିକୁ ଉତ୍ତମ ଶିକ୍ଷା ମିଳେ ତାହେଲେ ସେ ନିଜର ଓ ଦେଶର ଭବିଷ୍ୟତ ଉଜ୍ବଳ କରିପାରିବ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୧୯୫୪ ମସିହାରେ ରାଧାକ୍ରିଷ୍ଣନଙ୍କୁ ସମ୍ମାନଜନକ ଭାରତ ରତ୍ନ ପ୍ରଦାନ କରାଯାଇଥିଲା ।

ଭାରତ ବର୍ଷର ଗୁରୁଶିଷ୍ୟର ପରମ୍ପରା ବହୁ ପ୍ରାଚୀନ । ଗୁରୁ ଦ୍ରୋଣାଚାର୍ଯ୍ୟ, ପର୍ଶୁରାମ ଏପରି ଅନେକ ଗୁରୁଙ୍କ ଗାଥା ପୁରାଣରେ ବର୍ଣ୍ଣିତ । ବିନା ଗୁରୁରେ କେହି କେବେ ସଫଳତାର ଶିଖର ଛୁଇଁପାରି ନଥାଏ । ଗୁରୁଙ୍କ ବେତ ପାହାର ପିଲାର ଉତ୍ତମ ଜୀବନ ଗଠନରେ ସହାୟକ ହୁଏ । କଞ୍ଚାମାଟିର ପିତୁଳାକୁ ଉଜ୍ବଳ ତାରକା ରୂପେ ଗଢିବାରେ ନିରନ୍ତର ଚେଷ୍ଟା କରିଥାନ୍ତି ଗୁରୁ । ଜୀବନରେ ଗୁରୁଙ୍କ ସ୍ଥାନ ଅପୂରଣୀୟ । ଆଜି ଗୁରୁ ଦିବସରେ ସମସ୍ତ ଗୁରୁମାନଙ୍କୁ କୋଟି କୋଟି ପ୍ରଣାମ ।

ABOUT THE AUTHOR

...view details