କୋଭିଡ ମହାମାରୀ ଯୋଗୁଁ ଦେଶରେ ସବୁ ପ୍ରକାର ସ୍ୱାସ୍ଥ୍ୟ ସଂଙ୍କଟ ଦେଖାଦେଇଛି । ଏ ପରିପ୍ରେକ୍ଷୀରେ ଡାକ୍ତରମାନେ ଟିବି ରୋଗୀମାନଙ୍କୁ ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । କାରଣ କୋଭିଡ-୧୯ ଭୂତାଣୁ ସିଧାସଳଖ ଫୁସଫୁସକୁ ପ୍ରଭାବିତ କରିଥାଏ । ଟିବିରେ ପୀଡିତ ଲୋକଙ୍କର ସହ-ରୁଗଣତା ଥାଏ । ସେମାନଙ୍କର ଫୁସଫୁସ କ୍ଷତିଗ୍ରସ୍ତ ହୋଇଥାଏ । ତେଣୁ କୋଭିଡ ଦ୍ୱାରା ସେମାନେ ଅଧିକ ପ୍ରଭାବିତ ହେବା ଆଶଙ୍କା ରହେ ବୋଲି ଡାକ୍ତରମାନେ କହିଛନ୍ତି । ଟିବି ଓ କୋଭିଡର ଲକ୍ଷଣ ପ୍ରାୟ ସମାନ । କଫ ଓ ଜ୍ୱର ଏହାର ଉଦାହରଣ ବୋଲି ଡାକ୍ତରମାନେ କହିଛନ୍ତି । ଲକ୍ଷଣରେ ସମାନତା ଯୋଗୁଁ ଟିବି ରୋଗୀଙ୍କଠାରେ କୋଭିଡ ଚିହ୍ନଟ ନେଇ ସଂଶୟ ଉପୁଜିଥାଏ ।
ଟିବି ରୋଗୀଙ୍କୁ କୋଭିଡ ହେଲେ ସାମାଜିକ ଭାବେ ସେମାନେ ସମସ୍ୟାର ସମ୍ମୁଖୀନ ହୁଅନ୍ତି ବୋଲି ବି ଡାକ୍ତରମାନେ କହିଛନ୍ତି । ଟିବି ଓ କୋଭିଡ ସାଧାରଣତଃ ଫୁସଫୁସକୁ ପ୍ରଭାବିତ କରିଥାଏ । କୋଭିଡ ଓ ଟିବି ମଧ୍ୟରେ ସିଧାସଳଖ ସଂପର୍କ ନାହିଁ । କିନ୍ତୁ ଟିବି ରୋଗୀମାନେ କୋଭିଡର ତୀବ୍ରତା ସାମ୍ନା କରିବା ଆଶଙ୍କା ଅଧିକ ବୋଲି ଡାକ୍ତରମାନେ କହିଛନ୍ତି । ବିଶେଷ କରି ଢାଞ୍ଚାଗତ କ୍ଷତିର ସମ୍ମୁଖୀନ ହୋଇଥିବା ଟିବି ରୋଗୀମାନଙ୍କଠାରେ କୋଭିଡର ତୀବ୍ରତା ଅନୁଭୂତ ହୁଏ ବୋଲି ଗୁରୁଗ୍ରାମର ନାରାୟଣ ହସ୍ପିଟାଲର ବିଶେଷଜ୍ଞ ଡାକ୍ତର ଶିବା କଲ୍ୟାଣ ବିଶ୍ୱାଳ କହିଛନ୍ତି । କୋଭିଡ ମହାମାରୀର ସିଧାସଳଖ ପ୍ରଭାବ ଯୋଗୁଁ ୨୦୨୦ ରୁ ୨୦୨୫ ମଧ୍ୟରେ ଟିବିରେ ଅତିରିକ୍ତ ୧ ଦଶମିକ ୪ ମିଲିଅନ ମୃତ୍ୟୁ ହୋଇପାରେ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଂଙ୍ଗଠନ ଅନୁମାନ କରିଥିବା ଡାକ୍ତର କଲ୍ୟାଣ ବିଶ୍ୱାଳ ସୂଚନା ଦେଇଛନ୍ତି।
ଉଭୟ ଟିବି ଓ କୋଭିଡ ରୋଗକୁ ଗମ୍ଭୀରତାର ସହ ନିଆଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଡାକ୍ତର ବିଶ୍ୱାଳ । ଟିବି ବିଶ୍ୱର ମରଣାନ୍ତକ ସଂକ୍ରାମକ ରୋଗ ମଧ୍ୟରୁ ଅନ୍ୟତମ । ପ୍ରତିଦିନ ପାଖାପାଖି ୪ ହଜାର ଲୋକ ଏହି ରୋଗ ଯୋଗୁଁ ମୃତ୍ୟୁମୁଖରେ ପଡୁଛନ୍ତି । ୨୮ ହଜାର ଲୋକ ପ୍ରତିଦିନ ଟିବିରେ ପୀଡିତ ହୁଅନ୍ତି । ଟିବି କିନ୍ତୁ ପ୍ରତିକାରମୂଳକ ଓ ଆରୋଗ୍ୟ ଯୋଗ୍ୟ ରୋଗ । ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନର ହିସାବ ଅନୁସାରେ, ବିଶ୍ୱରେ ୧୦ ମିଲିଅନରୁ ଅଧିକ ଟିବି ମାମଲା ରହିଛି । ବିଶ୍ୱର ୬ଟି ଦେଶରେ ହିଁ ଟିବିର ୬୦ ପ୍ରତିଶତ ମାମଲା ରହିଛି । ଭାରତରେ ଟିବି ରୋଗୀଙ୍କ ସଂଖ୍ୟା ସର୍ବାଧିକ । ଏହାପରେ ଚୀନ, ନାଇଜେରିଆ, ପାକିସ୍ତାନ ରହିଛି । ଡ୍ରଗ୍ ରେସିଟାଣ୍ଟ ବା ଔଷଧ ପ୍ରତିହତକାରୀ ଟିବି ଔଷଧରେ ଭଲ ହେବା କଷ୍ଟକର ବୋଲି ଉଜ୍ଜ୍ୱଳା ସାଇଗନସ୍ ଗ୍ରୁପ୍ ଅଫ ହସ୍ପିଟାଲର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ସୁଚିନ ବଜାଜ କହିଛନ୍ତି ।