ନୂଆଦିଲ୍ଲୀ: ଆଜି(ଗୁରୁବାର) ଟାଟା ଗ୍ରୁପକୁ ବିଧିବଦ୍ଧ ଭାବେ ହସ୍ତାନ୍ତର ହୋଇପାରେ ଏୟାର ଇଣ୍ଡିଆ((Air India takeover) । ଏୟାର ଇଣ୍ଡିଆ ଉପରୁ କର୍ତ୍ତୃତ୍ବ ହରାଇବେ ସରକାର । ଏହି ପରିପ୍ରେକ୍ଷୀରେ ଆଜି ଟାଟା ସନ୍ସ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖର(Tata Sons Chairman N Chandrasekaran) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସଂକ୍ଷିପ୍ତ ବୈଠକ କରିବେ । ମାଲିକାନା ହସ୍ତାନ୍ତର ନେଇ ସମସ୍ତ ଔପଚାରିକତା ଶେଷ ହୋଇଥିବା ଜଣାପଡିଛି । କେବଳ ଘୋଷଣାକୁ ଅପେକ୍ଷା ।
ଗତବର୍ଷ ଅକ୍ଟୋବରରେ ଏୟାର ଇଣ୍ଡିଆର ଶତ ପ୍ରତିଶତ ଇକ୍ବିଟି ଶେୟାର ପାଇଁ ଟାଟା ସନ୍ସର ସର୍ବାଧିକ ବିଡ୍ ଗ୍ରହଣ କରିଥିଲେ ସରକାର । ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆକୁ ୧୮ ହଜାର କୋଟି ଟଙ୍କାରେ ନିଲାମ ନେବାକୁ ସମ୍ମତ ହୋଇଥିଲା ଟାଟା ସନ୍ସ ପ୍ରାଇଭେଟ ଲିମିଟେଡ । ଏୟାର ଇଣ୍ଡିଆରେ କେନ୍ଦ୍ର ସରକାର ବିନିଯୋଗ କରିଥିବା ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଆଜି ଶେଷ ହେଉଥିବାରୁ ଏହା ଟାଟା ହାତକୁ ଯାଇପାରେ । ଏୟାର ଇଣ୍ଡିଆ ବରିଷ୍ଠ ଅଧିକାରୀଙ୍କ କହିବା କଥା, ଯଦି କୌଣସି କାରଣ ଯୋଗୁଁ ଆଜି ହସ୍ତାନ୍ତର ସ୍ଥଗିତ ରୁହେ ତେବେ ମାସ ଶେଷ ମଧ୍ୟରେ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହେବ ।