ନୂଆଦିଲ୍ଲୀ: ଆଜି(ରବିବାର)ଠୁ 4 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ତାଞ୍ଜାନିଆର ରାଷ୍ଟ୍ରପତି ସମିଆ ସୁଲୁହୁ ହସାନ । ଏହି ସମୟରେ ସେ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବା ସହ କିଛି ଚୁକ୍ତି ସ୍ବାକ୍ଷର କରିବା ନେଇ ସୂଚନା ରହିଛି ।
ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣକୁ ରକ୍ଷା କରି ଦୀର୍ଘ 8 ବର୍ଷ ପରେ ଭାରତ ଆସୁଛନ୍ତି ତାଞ୍ଜାନିଆର ପ୍ରଥମ ମହିଳା ରାଷ୍ଟ୍ରପତି । ନିଜ ପ୍ରତିନିଧିମଣ୍ଡଳ ଓ କିଛି ନେତାଙ୍କ ସହ ସେ ଦିଲ୍ଲୀରେ ପହଞ୍ଚିବେ । ତାଞ୍ଜାନିଆ ରାଷ୍ଟ୍ରପତିଙ୍କ 4 ଦିନିଆ ଭାରତ ଗସ୍ତକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 8 ଅକ୍ଟୋବରରୁ 11 ଅକ୍ଟୋବର ଯାଏଁ ଭାରତରେ ରହିବେ ତାଞ୍ଜାନିଆ ରାଷ୍ଟ୍ରପତି । ଏହି ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏନେଇ ଶୁକ୍ରବାର ଦିନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଏହାମଧ୍ୟ ପଢନ୍ତୁ..Nepal pm in india: ସାଂସ୍କୃତିକ ସମ୍ପର୍କ ସୁଦୁଢ଼ୀକରଣ ଲକ୍ଷ୍ୟ, ତ୍ବରାନ୍ବିତ ହେବ ରାମାୟଣ ସର୍କିଟ ପ୍ରକଳ୍ପ
ରାଷ୍ଟ୍ରପତି ସମିଆ ସୁଲୁହୁଙ୍କ ଗସ୍ତସୂଚୀ ଅନୁଯାୟୀ, ରବିବାର ସନ୍ଧ୍ୟା 5.15 ସୁଦ୍ଧା ନିଜ ପ୍ରତିନିଧି ମଣ୍ଡଳ ଓ ନେତୃବୃନ୍ଦ ସହ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ ସମିଆ ସୁଲୁହୁ । ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯିବ । ଏହାପରେ ସନ୍ଧ୍ୟା 6.30 ସୁଦ୍ଧା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର 9 ତାରିଖ ସକାଳ ସମୟରେ ରାଷ୍ଟ୍ରପତି ଭବନ ଯିବେ ସମିଆ ସୁଲୁହୁ ହସାନ । ସେଠାରେ ତାଙ୍କର ଔପଚାରିକ ସ୍ବାଗତ ସମ୍ବର୍ଦ୍ଧନା କରାଯିବ । ଏହି ସମୟରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବେ । ମୁର୍ମୁ ଏକ ସମିଆ ସୁଲୁହୁଙ୍କ ପାଇଁ ଏକ ରାଜକୀୟ ଭୋଜନ ଆୟୋଜନ କରିଥିବା ସୂଚନା ରହିଛି । ଏହାପରେ 9.30 ସମୟରେ ରାଜଘାଠ ଠାରେ ପୁଷ୍ପମାଲ୍ୟ ଅର୍ପଣ ସମାରୋହରେ ଯୋଗ ଦେବେ । ଦିନ 11ଟା ସୁଦ୍ଧା ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଏହି ସମୟରେ 2 ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ 2 ନେତାଙ୍କ ମଧ୍ୟରେ ଆଲୋଚନା ହେବ ଓ କିଛି ଏମଓୟୁରେ ସ୍ବାକ୍ଷର କରାଯିବା ନେଇ ମଧ୍ୟ ସୂଚନା ରହିଛି । ତେବେ ଗସ୍ତର ତୃତୀୟ ଦିନରେ ନୂଆଦିଲ୍ଲୀରେ ଆୟୋଜିତ ଏକ ନିବେଶ ଓ ବାଣିଜ୍ୟିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାପରେ ଅକ୍ଟୋବର 11ତାରିଖରେ ସ୍ବଦେଶ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।