ଚେନ୍ନାଇ:ମାଆ କ୍ଷୀର ପ୍ରତି ପିଲା ପାଇଁ ଜରୁରୀ । ନବଜାତକଟିଏ ଜନ୍ମ ହେଲେ ଅତନ୍ତ 6 ମାସ ଯାଏଁ ମାଆ କ୍ଷୀର ଖାଇଥାଏ । ମାଆ କ୍ଷୀରରୁ ବଞ୍ଚିତ ଥିବା ପିଲାଙ୍କ ବିଷୟରେ ସୋସିଆଲ ମିଡିଆରେ ଜାଣିବାକୁ ପାଇବା ପରେ ଜଣେ ମହିଳା ଏମିତି ଏକ ପ୍ରୟାସ ଆରମ୍ଭ କରିଥିଲେ । କୌଣସି ପିଲା ଯେପରି ମାଆ କ୍ଷୀରରୁ ବଞ୍ଚିତ ନହେଉ ସେନେଇ ସେ ମାଆ କ୍ଷୀର ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ଅଭିଯାନ । 10 ମାସରେ 55 ଲିଟର ମାଆ କ୍ଷୀର ଦାନ କରି ରେକର୍ଡ କରିଛନ୍ତି ତାମିଲନାଡୁ କୋଏମ୍ବାଟୁରର ସିନ୍ଧୁ ମୋନିକା ନାମକ ଜଣେ ମହିଳା ।
ପ୍ରଫେସର ମହେଶ୍ୱରନ ଏବଂ ତାଙ୍କ ପତ୍ନୀ ସିନ୍ଧୁ ମୋନିକା କରୁମାଥମବାଟିର କନ୍ୟାରୁ ଅଞ୍ଚଳରେ ରୁହନ୍ତି । ସେମାନଙ୍କ ବିବାହକୁ 6 ବର୍ଷ ପୂରଣ ହୋଇଛି । ତାଙ୍କର ଦେଢ ବର୍ଷର ଝିଅ ମଧ୍ୟ ଅଛି । ସୋସିଆଲ ମିଡିଆରେ ମାଆ କ୍ଷୀର ଦାନ ବିଷୟରେ ଜାଣିବାକୁ ପାଇଥିଲେ ସିନ୍ଧୁ ମୋନିକା । ଏହାପରେ ସେ ମଧ୍ୟ ମାଆ କ୍ଷୀର ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ସିନ୍ଧୁ ମୋନିକା ଅମ୍ରିତାମ ସଂଗଠନ ସହ ଯୋଗାଯୋଗ କରିଥିଲେ । ସଂଗଠନର ସଂଯୋଜିତା ରୂପା ମାଆ କ୍ଷୀରକୁ କିପରି ସୁରକ୍ଷିତ ରଖାଯିବ ସେ ନେଇ ପରାମର୍ଶ ଦେଇଥିଲେ । ଏହାପରେ ସିନ୍ଧୁ ମୋନିକା 10 ମାସରେ 55 ଲିଟର ମାଆ କ୍ଷୀର ସଂଗ୍ରହ କରି କୋଏମ୍ବାଟୁର ସରକାରୀ ହସ୍ପିଟାଲକୁ ଦାନ କରିଥିଲେ । ତାଙ୍କର ଏହି ପ୍ରୟାସ ପାଇଁ ତାଙ୍କୁ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ମିଳିଛି । ତାଙ୍କର ଏହି ସଫଳତା ଏସିଆ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ୱୀକୃତି ସହ ପ୍ରମାଣପତ୍ର ଏବଂ ପଦକ ପ୍ରଦାନ କରାଯାଇଛି ।
ଏ ନେଇ ସିନ୍ଧୁ କହିଛନ୍ତି, "ପ୍ରତି ପିଲା ପାଇଁ ମାଆ କ୍ଷୀର ଆବଶ୍ୟକ । ଅନେକ ଶିଶୁ ସ୍ତନ୍ୟପାନ ଅଭାବରୁ ରୋଗରେ ପୀଡିତ ଅଛନ୍ତି । ସୋସିଆଲ ମିଡିଆରେ ଏହା ଜାଣିବା ପରେ ମୁଁ ମାଆ କ୍ଷୀର ଦାନ କରିବାକୁ ନିଷ୍ପତ୍ତି ନେଇଥିଲି । ସ୍ତନ୍ୟପାନ ବିଷୟରେ ସଚେତନତା ଆବଶ୍ୟକ । ଏ ଦିଗରେ ସମସ୍ତଙ୍କୁ ଆଗକୁ ଆସିବାକୁ ହେବ । ସ୍ତନ୍ୟପାନ ଆପଣଙ୍କୁ ଅସୁନ୍ଦର କରିବ ବୋଲି ଭାବିବା ଭୁଲ । ସୌନ୍ଦର୍ଯ୍ୟ ଅପେକ୍ଷା ଶିଶୁର ସ୍ବାସ୍ଥ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ।"