ପାଟନା/ଚେନ୍ନାଇ: ତାମିଲନାଡୁରେ ବିହାରର ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ଅଭିଯୋଗ ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଫୋନରେ କଥାହେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ତାମିଲନାଡୁରେ ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣ ନେଇ ହେଉଥିବା ଅଭିଯୋଗ ଓ ସେମାନଙ୍କ ସୁରକ୍ଷା ନେଇ ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ପ୍ରସାରିତ ହୋଇଥିବା ଆକ୍ରମଣର ଏକାଧିକ ଭିଡିଓ ମିଥ୍ୟା ବୋଲି କହିବା ସହ ତାମିଲନାଡୁ ସରକାର ଓ ରାଜ୍ୟବାସୀ ପ୍ରବାସୀ ଶ୍ରମିକ ଭାଇମାନଙ୍କୁ ସର୍ବଦା ସୁରକ୍ଷା ଦିଅନ୍ତି ବୋଲି ଷ୍ଟାଲିନ ନୀତିଶଙ୍କୁ ଅବଗତ କରିଛନ୍ତି ।
କଥାବାର୍ତ୍ତା ସମ୍ପର୍କରେ ନିଜେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି, ‘‘ଏହି ପ୍ରସଙ୍ଗରେ ମୁଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଟେଲିଫୋନରେ ଆଲୋଚନା କରିଛି । ତାଙ୍କୁ ବିହାରୀ ତଥା ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ନେଇ ନିଶ୍ଚିତ ମଧ୍ୟ କରିଛି । ରାଜ୍ୟରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକ ତାମିଲନାଡୁର ଶ୍ରମିକ । ରାଜ୍ୟର ପ୍ରଗତିରେ ସେମାନଙ୍କ ଭୂମିକା ରହିଛି । ସେମାନଙ୍କର ସୁରକ୍ଷା ପ୍ରାଥମିକତା । ଏପରି କୌଣସି ଘଟଣା ସେମାନଙ୍କ ସୁରକ୍ଷାକୁ ପ୍ରଭାବିତ କରିବ ନାହିଁ ।’’
ସେହିପରି ଭାଇରାଲ ହେଉଥିବା ହିଂସା ଓ ଆକ୍ରମଣ ଭିଡିଓକୁ ମିଥ୍ୟା ବୋଲି ଦର୍ଶାଇବା ସହ ଏପରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ମଧ୍ୟ ଦେଇଛନ୍ତି । ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା ଭିଡିଓ ଅତ୍ୟନ୍ତ ନିନ୍ଦନୀୟ । ଏହାକୁ ନେଇ କିଛି ବ୍ୟକ୍ତି ହୀନ ରାଜନୀତି କରୁଛନ୍ତି । ରାଜ୍ୟରେ ଚିନ୍ତା ଓ ଘୃଣା ସୃଷ୍ଟି କରାଯାଉଛି । ଏପରି କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସେ ସୂଚନା ଦେଇଛନ୍ତି ।