ଓଡିଶା

odisha

ETV Bharat / bharat

20ବର୍ଷ ପରେ ଇତିହାସର ପୁନରାବୃତ୍ତି; ପୁଣି ଜଳିଲା ଆଫଗାନ ଛାତ୍ରୀଙ୍କ ସ୍କୁଲ ରେକର୍ଡ - ତାଲିବାନ ଆତଙ୍କ

20ବର୍ଷ ପରେ ପୁଣି ହେଲା ଇତିହାସର ପୁନରାବୃତ୍ତି । ତାଲିବାନ ଭୟରେ ଜଳିଲା ଆଫଗାନିସ୍ତାନ ଛାତ୍ରୀଙ୍କ ସ୍କୁଲ ରେକର୍ଡ । ଆଜ୍ଞା ହଁ ଆପଣ ଠିକ ପଢୁଛନ୍ତି । କାରଣ ତାଲିବାନ ମହିଳାଙ୍କ ପାଠପଢାକୁ ଦେଇନଥାଏ ଅନୁମତି । ଅଧିକ ପଢନ୍ତୁ....

ମହିଳାଙ୍କ ପ୍ରତି କ୍ରୁର ତାଲିବାନ, ୨୦ ବର୍ଷ ପରେ ପୁଣି ଜଳୁଛି ଛାତ୍ରୀଙ୍କ ରେକର୍ଡ
ମହିଳାଙ୍କ ପ୍ରତି କ୍ରୁର ତାଲିବାନ, ୨୦ ବର୍ଷ ପରେ ପୁଣି ଜଳୁଛି ଛାତ୍ରୀଙ୍କ ରେକର୍ଡ

By

Published : Aug 21, 2021, 4:51 PM IST

ହାଇଦ୍ରାବାଦ: ଆଫଗାନିସ୍ତାନରେ ସୀମା ଲଘିଂଛି ତାଲିବାନ ଆତଙ୍କବାଦୀଙ୍କ ବର୍ବରତା । ତାଲିବାନଙ୍କ ଆତଙ୍କୀରାଜର ଛାତିଥରା ଦୃଶ୍ୟକୁ ଦେଖୁଛନ୍ତି ବିଶ୍ବର କୋଣ ଅନୁକୋଣରେ ଥିବା ଲୋକେ । ମହିଳାଙ୍କ ପ୍ରତି ଆତଙ୍କବାଦୀଙ୍କ ଅତ୍ୟାଚାରକୁ ମଧ୍ୟ ଦେଖୁଛି ସାରା ଦେଶ । ତାଲିବାନଙ୍କ ଭୟରେ ଦୀର୍ଘ ୨୦ ବର୍ଷ ପରେ ପୁଣି ଆଫଗାନିସ୍ତାନରେ ଜଳୁଛି ଛାତ୍ରୀଙ୍କ ସ୍କୁଲ ରେକର୍ଡ । ଆଫଗାନିସ୍ତାନରେ ଛାତ୍ରୀଙ୍କ ପାଠପଢା ପାଇଁ ରହିଛି ଏକ ଅନୁଷ୍ଠାନ SOLA । ଏହି ବିଦ୍ୟାଳୟର ସହ-ପ୍ରତିଷ୍ଠାତା ତଥା ସଭାପତି ଶବନା ବସିଜ-ରଶିଖ, ବର୍ତ୍ତମାନ ନିଜ ଛାତ୍ରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ସୁରକ୍ଷିତ ରଖିବା ପାଇଁ ଜଳାଇଛନ୍ତି ଛାତ୍ରୀଙ୍କ ରେକର୍ଡ । ଆଉ ଏ ସମ୍ପର୍କରେ ଟ୍ବିଟ କରି ସେ ସୂଚନା ଦେଇଛନ୍ତି ।

ଆଫଗାନିସ୍ତାନର ମହିଳାଙ୍କ ଶିକ୍ଷା ଗ୍ରହଣକୁ ବିରୋଧ କରେ ତାଲିବାନ । ତାଲିବାନ ଶାସନର ନିୟମାବଳୀ ମଧ୍ୟରେ ସବୁଠୁ ଅଧିକ ଅତ୍ୟାଚାର ସହିଥାନ୍ତି ମହିଳା । ସେମାନଙ୍କ ସ୍ବାଧୀନତାକୁ ଛଡ଼ାଇ ନେଇଥାଏ ଏହି ତାଲିବାନ ଆଇନ । ମହିଳାଙ୍କ ବିଦ୍ୟମାନକୁ ତାଲିବାନ ଅଣଦେଖା କରିବା ସହିତ ସେମାନଙ୍କ ପ୍ରତି କରିଆସିଥିଲା ଅତ୍ୟାଚାର । ତେବେ ଦୀର୍ଘ ୨୦ ବର୍ଷର ଲଢେଇ ପରେ ପୁଣି ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ । ତେବେ ପୂର୍ବରୁ ମହିଳାଙ୍କ ପାଠପଢାକୁ ଅନୁମତି ଦେଉନଥିବା ତାଲିବାନ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାର ସମସ୍ତ ରେକର୍ଡକୁ ପୋଡ଼ି ଦେଉଥିଲା । ତେବେ ଏହି ଛାତ୍ରୀଙ୍କ ମଧ୍ୟରେ ରହିଥିଲେ SOLAର ସଭାପତି ଶବନା ।

୨୦ ବର୍ଷ ପରେ ଇତିହାସର ପୁନରାବୃତ୍ତି ଦେଖୁଛନ୍ତି ଶବନା । ସେ ଆଫଗାନିସ୍ତାନରେ ଛାତ୍ରୀଙ୍କ ପାଠପଢା ପାଇଁ ଥିବା ବିଦ୍ୟାଳୟ SOLAର ସମସ୍ତ ଛାତ୍ରୀଙ୍କ ରେକର୍ଡକୁ ପୋଡ଼ି ଦେଇଛନ୍ତି । ଫଳରେ ତାଲିବାନମାନେ ସେମାନଙ୍କ ସମ୍ପର୍କରେ ସୂଚନା ପାଇପାରିବେ ନାହିଁ ଏବଂ ପାଠ ପଢୁଥିବା ଛାତ୍ରୀଙ୍କ ପରିବାର ସୁରକ୍ଷିତ ରହିବେ । ରେକର୍ଡ ସହିତ ଆଫଗାନିସ୍ତାନର ଯୁବତୀଙ୍କ ଶିକ୍ଷା ଗ୍ରହଣର ସମ୍ଭାବନା ମଧ୍ୟ ଜଳି ଜଳି ଯାଉଛି । ତାଲିବାନଙ୍କ ଦ୍ବାରା ଶବନାଙ୍କ ରେକର୍ଡ ପୋଡି଼ ଦିଆଯିବା ପରେ ସେ ଆଫଗାନିସ୍ତାନ ଯୁବତୀଙ୍କୁ ଶିକ୍ଷା ଯୋଗାଇବା ପାଇଁ ସଂକଳ୍ପ ନେଇଥିଲେ । ମାତ୍ର ଦେଶ ଉପରେ ତାଲିବାନର ପୁଣି ରାଜୁତିକୁ ଦେଖି ଏହି ଆଶା ତାଙ୍କର ମଉଳି ଯାଇଥିବା ସେ କହିଛନ୍ତି ।

ତାଲିବାନର ଆଇନ ଅନୁସାରେ ମହିଳାମାନେ ନଜରବନ୍ଦୀ ହୋଇ ରହୁଥିବା ବେଳେ ସେମାନେ ପାଠ ପଢିପାରିବେ ନାହିଁ । ଏକୁଟିଆ ଘରୁ ବାହାରିପାରିବେ ନାହିଁ । ୮ ବର୍ଷରୁ ଊର୍ଦ୍ଧ୍ବ ଝିଅମାନେ ବୁର୍ଖା ପିନ୍ଧିବା ବାଧ୍ୟ । ମହିଳା ଥିବା ଘରର କବାଟ ଓ ଝରକା ସବୁବେଳେ ବନ୍ଦ ରହିଥାଏ । ମହିଳାଙ୍କ ପାଇଁ ଏମିତି ଅନେକ କଠୋର ନିୟମ ରହିଛି ତାଲିବାନ ନିକଟରେ । ନିୟମ ନ ମାନିଲେ ମହିଳାଙ୍କୁ ସର୍ବସମ୍ମୁଖରେ ମାଡ଼ ମରାଯିବା ସହିତ ପଥର ପିଙ୍ଗିବା ଭଳି ଦଣ୍ଡ ମଧ୍ୟ ରହିଛି । ତେବେ ଏହି ସମସ୍ତ ଅତ୍ୟାଚାରରୁ ନିଜ ଛାତ୍ରୀଙ୍କୁ ରକ୍ଷା କରିବା ପାଇଁ ଶବନା ସେମାନଙ୍କ ରେକର୍ଡକୁ ପୋଡ଼ିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details