ଡେରାଡୁନ: ଉତ୍ତରକାଶୀରେ ଦୁର୍ଘଟଣାଗ୍ରସ୍ତ ଟନେଲ ଭିତରୁ ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଚାଲିଛି ଆପ୍ରାଣ ଉଦ୍ୟମ । ହେଭି ଅଗର ମେସିନ ସାହାଯ୍ୟରେ ମାଟି ଖୋଳା ଯାଉଛି । ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବାୟୁସେନାର ଏୟାରକ୍ରାଫ୍ଟ ଯୋଗେ ମେସିନ ଅଣାଯାଉଛି । ରାତିଦିନ ଅବିଶ୍ରାନ୍ତ ଭାବେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ରେସ୍କ୍ୟୁ ଟିମ୍ । ମାତ୍ର ପ୍ରାଣମୂର୍ଚ୍ଛା ପ୍ରଚେଷ୍ଟା ସତ୍ତ୍ବେ ଅଦ୍ୟାବିଧି କିଛି ସୁଫଳ ମିଳିପାରିନି । ଫଳରେ ୮ ଦିନ ହେଲାଣି ମାଟି ଅତଡା ତଳେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ମନୋବଳ ଏବେ ଭାଙ୍ଗିବାକୁ ଲାଗିଛି । ଯଦିଓ ପାଇପ୍ ଯୋଗେ ଶ୍ରମିକମାନଙ୍କ ସହ ନିୟମିତ ଯୋଗାଯୋଗ କରାଯାଉଛି । ଖାଦ୍ୟ, ପାନୀୟ ଅକ୍ସିଜେନ ପଠାଯାଉଛି, କିନ୍ତୁ ଧୈର୍ଯ୍ୟହରା ହୋଇ ଅନ୍ଧାରୀ ଟନେଲ ଭିତରୁ ଜୀବନ ବଞ୍ଚାଇବାକୁ ଗୁହାରି କରୁଛନ୍ତି ଶ୍ରମିକ ।
ଖବର ଅନୁଯାୟୀ, ଶନିବାର ଉତ୍ତରପ୍ରଦେଶର ଅରୁଣ କୁମାର ମିଶ୍ର ନାମକ ଜଣେ ଅଧିକାରୀ ପାଇପ୍ ଯୋଗେ ଶ୍ରମିକମାନଙ୍କ ସହ କଥା ହୋଇଥିଲେ । ଏହି ସମୟରେ ଶ୍ରମିକମାନେ ସେମାନଙ୍କୁ ଯଥାଶୀଘ୍ର ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ । ଶ୍ରମିକମାନେ କହିଥିଲେ ଯେ, ସେମାନଙ୍କ ନିକଟକୁ ଖାଦ୍ୟ ଓ ପାନୀୟ ପଠାଯାଉଛି । କିନ୍ତୁ ଭିତରେ ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ଯେଉଁ କାରଣରୁ ସେମାନଙ୍କ ମନୋବଳ ଭାଙ୍ଗିବାକୁ ଲାଗିଛି । ସେହିପରି ଡ୍ରିଲିଂ କାମ କେତେ ବାଟ ଆଗେଇଛି ଏବଂ ଉଦ୍ଧାର କାର୍ଯ୍ୟରେ କେଉଁ ପ୍ରକାର ମେସିନ ବ୍ୟବହାର କରାଯାଉଛି ବୋଲି ଜଣେ ଶ୍ରମିକ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ।