ସ୍କଟଲାଣ୍ଡ:ଋଷର ୟୁକ୍ରେନ ଆକ୍ରମଣ ପରେ ୟୁରୋପରେ ବଦଳିବାରେ ଲାଗିଛି ରଣନୈତିକ ସମୀକରଣ । ଫିନଲ୍ୟାଣ୍ଡ ଧାରାରେ ସାମିଲ ହୋଇଛି ଆଉ ଏକ ୟୁରୋପୀୟ ଦେଶ ସ୍ବିଡେନ । ଆଜି ସ୍ବିଡେନ ପ୍ରଧାନମନ୍ତ୍ରୀ ନାଟୋ ସଦସ୍ୟତା ଚାହୁଁଥିବା ଘୋଷଣା କରିଛନ୍ତି । ଗତକାଲି (ରବିବାର) ଫିନଲ୍ୟାଣ୍ଡ ନାଟୋରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିସାରିଛି ।
ସ୍ବିଡେନ ପ୍ରଧାନମନ୍ତ୍ରୀ ମଗଦାଲେନା ଆଣ୍ଡରସେନ (Magdalena Andersson)ଙ୍କ ଏପରି ଖୋଲା ଘୋଷଣା ପରେ ଋଷର ଚିନ୍ତା ମଧ୍ୟ ବଢିଛି । ଆମେରିକା ବିରୋଧରେ ବଳ କଷୁଥିବା ଋଷର ଚିନ୍ତା ବଢାଇବାରେ ଲାଗିଛନ୍ତି ବିଭିନ୍ନ ୟୁରୋପୀୟ ଦେଶ । ଋଷ ମଧ୍ୟ ଏହି ଘଟଣା ସାମ୍ନାକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି । ଫିନଲ୍ୟାଣ୍ଡ ଓ ସ୍ବିଡେନର ନାଟୋରେ ମିଶିବା ନିଷ୍ପତ୍ତି ଏକ ଗମ୍ଭୀର ଭୁଲ ନିଷ୍ପତ୍ତି ବୋଲି ମସ୍କୋ କହିଛି ।
ସ୍ବିଡେନରେ ମଧ୍ୟ ନାଟୋରେ ସାମିଲ ହେବା ପ୍ରସ୍ତାବରେ ରାଜନୈତିକ ସହମତି ପ୍ରକାଶ ପାଇଥିବା ସୂଚନା ମିଳିଛି । ଆଜି (ସୋମବାର) ସ୍ବିଡେନ ସଂସଦରେ ଏକ ବିତର୍କ ସମୟରେ ଏକାଧିକ ରାଜନୈତିକ ଦଳ ନାଟୋରେ ସାମିଲ ହେବା ନିଷ୍ପତ୍ତିକୁ ଯଥାର୍ଥ ବୋଲି ଦର୍ଶାଇଥିଲେ । ମୋଟ 8 ରାଜନୈତିକ ଦଳ ମଧ୍ୟରୁ 6ଦଳ ସହମତି ପ୍ରକାଶ କରିଥିବା ବେଳେ ମାତ୍ର ଦୁଇଟି ଦଳ ଏପରି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ।