ଥିରୁଅନନ୍ତପୁରମ:ଆସନ୍ତା ଗୁରୁବାର ଅପରାହ୍ନ 3 ଟାରେ କେରଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ପିନାରାୟୀ ବିଜୟନ । ଏହି ଶପଥ ଗ୍ରହଣ ସମାରୋହ ସେଣ୍ଟ୍ରାଲ ଷ୍ଟାଡିୟମରେ ଅପରାହ୍ନ 3ଟାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ସମାରୋହରେ 500 ଅତିଥି ଉପସ୍ଥିତ ରହିବେ ବୋଲି ଜଣାପଡିଛି ।
ବିଜୟନଙ୍କ ଏହି ଶପଥ ଗ୍ରହଣ ସମାରୋହରେ 750 ଅତିଥି ଯୋଗ ଦେବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲୋକମାନେ ସମସ୍ତଙ୍କ ପାଇଁ ନିୟମ ସମାନ ରହିବା ଉଚିତ ବୋଲି କହିଥିଲେ । ମହାମାରୀ ସମୟରେ ଏତେ ସଂଖ୍ୟକ ଅତିଥି ସାମିଲ ହେଲେ ସଂକ୍ରମଣ ବ୍ୟାପିବାର ଭୟ ରହିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ବିଜୟନ ଏହାକୁ ଖଣ୍ଡନ କରିଛନ୍ତି । ସେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ସମାରୋହରେ କେବଳ 500 ଅତିଥି ଉପସ୍ଥିତ ରହିବେ ବୋଲି ସେ କହିଛନ୍ତି ।
ଏହି ଶପଥ ଗ୍ରହଣ ସମାରୋହରେ କ୍ୟାବିନେଟର 21 ଜଣ ଅଧିକାରୀଙ୍କ ସମେତ 140 ଜଣ ବିଧାୟକ, 29 ଜଣ ସାଂସଦ, ବିଚାରପତି, ଗଣମାଧ୍ୟମ ପ୍ରତିନିଧ ଓ ଅନ୍ୟ ମୁଖ୍ୟ ଅଧିକାରୀ ଏଥିରେ ଯୋଗ ଦେବେ । ସମାରୋହରେ ଯୋଗ ଦେବାର 48 ଘଣ୍ଟା ପୂର୍ବରୁ ସେମାନଙ୍କ ନିକଟରେ କୋଭିଡ ପରୀକ୍ଷଣର ନେଗେଟିଭ ରିପୋର୍ଟ ରହିବା ଆବଶ୍ୟକ କିମ୍ବା ସେମାନେ କୋରୋନାର 2 ଡୋଜ ଟିକା ନେଇସାରିଥିବାର ରିପୋର୍ଟ ରହିଥିବା ଆବଶ୍ୟକ ବୋଲି ବିଜୟନ କହିଛନ୍ତି ।