ଚଣ୍ଡିଗଡ:ପଞ୍ଜାବରେ ପୁଣି ପାକିସ୍ତାନୀ ଡ୍ରୋନର ଗୁପ୍ତଚରଗିରି । ଭାରତ-ପାକ ଅନ୍ତର୍ଜାତୀୟ ସୀମା ସଲଗ୍ନ ପଠାନକୋଟର ସୀମାନ୍ତ ବାମିଆଲରେ ଦୃଶ୍ୟମାନ ହୋଇଛି ଏକ ସନ୍ଦିଗ୍ଧ ଡ୍ରୋନ (Suspicious drone in Pathankot) । ଗତକାଲି (ସୋମବାର) ସଂଧ୍ୟାରେ ଏହି ସନ୍ଦିଗ୍ଧ ଡ୍ରୋନଟି ଗ୍ରାମ ଆଖପାଖରେ ଉଡୁଥିବା ଦେଖି ଗ୍ରାମବାସୀ ସୁରକ୍ଷାବଳକୁ ସୂଚନା ଦେଇଥିଲେ । ତେବେ ସୁରକ୍ଷାବଳର ଯବାନ ପହଞ୍ଚି ଡ୍ରୋନଟିକୁ ଗୁଳି ଚଳାଇ ଖସାଇ ଦେବା ପାଇଁ ଉଦ୍ୟମ କରିଥିଲେ । ତେବେ ଡ୍ରୋନଟି କେଉଁଆଡେ ଅନ୍ତର୍ଧ୍ୟାନ ହୋଇଯାଇଥିଲା ।
ଏହାପରେ ମଙ୍ଗଳବାର ସକାଳୁ ସୁରକ୍ଷାବଳର ଏକାଧିକ ଟିମ ଉକ୍ତ ଗ୍ରାମ ଓ ନିକଟବର୍ତ୍ତୀ ସ୍ଥାନରେ ସର୍ଚ୍ଚ ଅପରେସନ କରିଥିଲେ ସୁଦ୍ଧା ଡ୍ରୋନଟିର ସନ୍ଧାନ ମିଳି ନଥିଲା । ଏହା ସୀମା ଆରପଟୁ ପାକିସ୍ତାନ ସେନା ଦ୍ବାରା ନିୟନ୍ତ୍ରିତ ହେଉଥିବା ମଧ୍ୟ ସନ୍ଦେହ କରାଯାଉଛି । ତେବେ ଏପରି ଷଡଯନ୍ତ୍ର ପ୍ରଥମ ଥର ନୁହେଁ, ବରଂ ପଞ୍ଜାବ ସୀମାନ୍ତ ଗ୍ରାମରେ ଏକାଧିକ ଥର ଏପରି ଘଟଣା ପ୍ରାୟତଃ ଦେଖିବାକୁ ମିଳୁଛି । ନିକଟରେ ଦୀପାବଳିରେ ମଧ୍ୟ ଏପରି ଘଟଣା ଘଟିଥିବାର ନଜିର ରହିଛି ।