ଲକ୍ଷ୍ନୌ:ଉତ୍ତର ପ୍ରଦେଶର ଗାଜିଆବାଦରୁ ସଂଗ୍ରହ ହୋଇଥିବା ସନ୍ଦିଗ୍ଧ ମଙ୍କିପକ୍ସ ନମୂନା ପରୀକ୍ଷା ପରେ ନେଗେଟିଭ ଆସିଥିବା ସୂଚନା ମିଳିଛି । ଜଣେ 5 ବର୍ଷୀୟ ଶିଶୁ ଶରୀରରେ ଲକ୍ଷଣ ଦେଖାଯିବା ପରେ ନମୂନା ସଂଗ୍ରହ କରାଯାଇ ପୁଣେ ସ୍ଥିତ ନ୍ୟାସନାଲ ଇଂଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଥିଲା । ପରୀକ୍ଷା ପରେ ଏହା ମଙ୍କିପକ୍ସ ଭୂତାଣୁ ସଂକ୍ରମଣ ହୋଇନଥିବା ସ୍ପଷ୍ଟ ହୋଇଛି । ତେବେ ରିପୋର୍ଟ ନେଗେଟିଭ ଆସିବା ପରେ ସାମାନ୍ୟ ଆଶ୍ବସ୍ତି ମଧ୍ୟ ମିଳିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କୌଣସି ମଙ୍କିପସ ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା NIV କହିଛି ।
ଏହି ଘଟଣାରେ ଗାଜିଆବାଦ ସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରୋଗୀ ନିକଟରେ ଜଟିଳତା କିମ୍ବା ଅନ୍ୟ କିଛି ସମସ୍ୟା ମଧ୍ୟ ପ୍ରକାଶ ପାଇନାହିଁ ଏବଂ ନିକଟ ଅତୀତରେ ରୋଗୀଜଣଙ୍କ ଅନ୍ୟମାନଙ୍କ ସଂସ୍ପର୍ଶରେ ମଧ୍ୟ ଆସିନାହିଁ । ତେଣୁ ଚିନ୍ତିତ ହେବାର କୌଣସି କାରଣ ନଥିବା ସ୍ବାସ୍ଥ୍ୟ ଅଧିକାରୀ ସ୍ପଷ୍ଟ କରିଛନ୍ତି ।