ପାଟନା: ବିହାର ବିଧାନସଭା ନିର୍ବାଚନରେ ଏନଡିଏ 125 ଆସନ ଜାତିବା ପରେ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ବିଧାୟକ ଦଳର ନେତା ଚୟନ କରିଛି ଜନତା ଦଳ ୟୁନାଇଟେଡ । ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ସରକାର ଗଠନର ଦାବି ଉପସ୍ଥାପନ କରିସାରିଛନ୍ତି ନିତିଶ । ସୋମବାର ସଂଧ୍ୟାରେ ଶପଥ ଗ୍ରହଣ ନେଇ ହୋଇଛି ନିଷ୍ପତ୍ତି । ଏହି ମଧ୍ୟରେ ନିତିଶଙ୍କ ସହ ଦୀର୍ଘ ଦିନରୁ ଯୋଡି ବଜାୟ ରଖିଥିବା ସୁଶୀଲ ମୋଦିଙ୍କ ଉପମୁଖ୍ୟମନ୍ତ୍ରୀ ହେବା ଉପରେ ଜାରି ରହିଛି ସସପେନ୍ସ । ତେବେ ବିହାରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ଭାବରେ ତାରକିଶୋର ପ୍ରସାଦଙ୍କ ନାଁ ଏକ ପ୍ରକାର ସ୍ଥିର ହୋଇସାରିଥିବା ଜଣାପଡିଛି ।
ଏନଡିଏ ବିଧାନପରିଷଦ ବୈଠକରେ ସୁଶୀଲ କୁମାର ମୋଦି କହିଛନ୍ତି ଯେ ଦଳ ମୋତେ ବହୁତ କିଛି ଦେଇଛି । ବିରୋଧୀ ଦଳର ନେତା କରିଛି । ଉପମୁଖ୍ୟମନ୍ତ୍ରୀ କରିଛି । ବିଧାନସଭାରେ ଦଳର ନେତା କରିଛି, କିନ୍ତୁ ଏଥର ମୁଁ ଚାହୁଁଛି ଯେ ଜଣେ ନିର୍ବାଚିତ ବିଧାୟକ ବିଧାନସଭା ଦଳର ନେତା ହୁଅନ୍ତୁ । ଯେଉଁଠାରେ ସୁଶୀଲ ମୋଦି ନିଜେ ତାରକିଶୋର ପ୍ରସାଦଙ୍କୁ ବିଧାନସଭାରେ ଦଳର ନେତା ଭାବରେ ପ୍ରସ୍ତାବ ଦେଇଥିଲେ । ଯାହାକୁ ପ୍ରେମ କୁମାର ଏବଂ ନନ୍ଦକିଶୋର ଯାଦବ ସମର୍ଥନ କରିଥିଲେ ।