ନୂଆଦିଲ୍ଲୀ: ବିଶ୍ବକୁ ନାଲି ଆଖି ଦେଖାଉଥିବା ଚୀନର ସେନାକୁ ପାଙ୍ଗୋଙ୍ଗ ହ୍ରଦର ଉତ୍ତରରେ 8 କିଲୋମିଟର ପଛକୁ ହଟିବାକୁ ବାଧ୍ୟ କରିଛି ଭାରତ । ସୀମାର ବାକି ସ୍ଥାନରେ ମଧ୍ୟ ଚୀନକୁ ପଛକୁ ହଟିବାକୁ ପଡିବ । ଏପେଟେ ଭାରତୀୟ ସେନା ମଧ୍ୟ ନିଜର ପୁରୁଣା ସ୍ଥାନକୁ ଫେରିଆସିବ । ତେବେ ସୀମାରେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହାରି ମଧ୍ୟରେ ଭାରତୀୟ ଯବାନଙ୍କ ପରାକ୍ରମ ଓ ସୌର୍ଯ୍ୟ ଉପରେ ପ୍ରଶ୍ନ ଚିହ୍ନ ଉଠାଇ ସେନାକୁ ପୂନର୍ବାର ଅପମାନ କରିଛି କଂଗ୍ରେସ ।
ଭାରତ-ଚୀନ ସୀମା ବିବାଦ ସମେତ ଅନେକ ବିଷ ଉପରେ ମୋଦି ସରକାରଙ୍କୁ ଘେରିଛନ୍ତି ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ତଥା କଂଗ୍ରେସ ନେତା ଏକେ ଆଣ୍ଟୋନୀ । ସେ କହିଛନ୍ତି ମୋଦି ସରକାର ଦେଶର ସୁରକ୍ଷା ପ୍ରତି ଧ୍ୟାନ ଦେଉନାହାନ୍ତି । ସୀମାରେ ଯବାନଙ୍କୁ ପଛକୁ ହଟାଇବା ଆତ୍ମସର୍ପଣ କରିବା ସହ ସମାନ ବୋଲି କହିଛନ୍ତି ଆଣ୍ଟେନୀ । କେବଳ ଏତିକି ନୁହେଁ, ମୋଦି ସରକାର ସେନାର ମନୋବଳ ଦୁର୍ବଳ କରୁଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ।
ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି, ଦେଶକୁ ଦୁଇ ପାର୍ଶ୍ବରୁ ବିପଦର ସାମ୍ନା କରିବାକୁ ପଡୁଥିବା ବେଳେ ଏହି ସନ୍ୟ ପ୍ରତ୍ୟାହାର ପ୍ରଥମ ଥର ହେଉଛି । ଗୋଟିଏ ପକ୍ଷେ ସୀମା ସେପଟୁ ଆତଙ୍କବାଦଙ୍କୁ ପଠାଉଛି ପାକିସ୍ତାନ । ଅନ୍ୟପକ୍ଷେ ଚୀନ ମଧ୍ୟ ଭାରତର ଜାଗାକୁ ଦଖଲ କରିବାକୁ ପ୍ରୟାସ ଜାରି ରଖିଛି । ଏଭଳି ସ୍ଥିତିରେ ପ୍ରତିରକ୍ଷା ବଜେଟରେ କାଣ୍ଟଛାଣ୍ଟ ହୋଇଛି । ଗତ ବର୍ଷ ତୁଳନାରେ ଏବର୍ଷ ପ୍ରତିରକ୍ଷା ବଜେଟ କମିଛି । ଏହା ସେନା ସହ ଧୋକା ବୋଲି ସେ କହିଛନ୍ତି ।
ଏହା ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଭାରତ-ଚୀନ ସୀମାରେ ସେନା ପ୍ରତ୍ୟାହାର ଉପରେ ପ୍ରଶ୍ନ ଉଠାଇଥିଲେ । .ଆମ ସୈନ୍ୟଙ୍କୁ କଣ ପାଇଁ କୈଳାଶ ରେଞ୍ଜରୁ ପ୍ରତ୍ୟାହାର କରାଯାଉଛି ବୋଲି ପ୍ରଶ୍ନ କରିଥିଲେ ରାହୁଲ । ଆମେ କାହିଁକି ଆମ ଅଞ୍ଚଳରୁ ପଛକୁ ହଟି ଫିଙ୍ଗର 4 ଓ ଫିଙ୍ଗର 3ରେ ଫରୱାର୍ଡ ବେସରୁ ସେନା ପ୍ରତ୍ୟାହାର କରୁଛୁ ବୋଲି କହିଥିଲେ ରାହୁଲ ।
ସେପଟେ ପ୍ରତିରକ୍ଷା ମନ୍ତ୍ରଣାଳୟ ବୟାନ ଜାରି କରି କହିଥିଲା ଯେ ଭାରତ ସୀମା ଫିଙ୍ଗର 4 ପର୍ଯ୍ୟନ୍ତ ନୁହେଁ, ବରଂ ଦେଶର ମାନଚିତ୍ରରେ ଦେଖାଯାଇଥିବା ସୀମା ପର୍ଯ୍ୟନ୍ତ ପରିବ୍ୟାପ୍ତ । ଦେଶର ମାଟିରେ 43 ହଜାର ବର୍ଗ କିଲୋମିଟର ଅଂଶ ଉପରେ 1962 ମସିହାରୁ ଚୀନ ଦଖଲ କରି ରଖିଥିଲା । ମନ୍ତ୍ରଣାଳୟ କହିଛି ଯେ ବାସ୍ତବିକ ସ୍ଥିତି ସମ୍ପର୍କରେ ପ୍ରତିରକ୍ଷାମନ୍ତ୍ରୀଙ୍କ ପକ୍ଷରୁ ସଂସଦରୁ ଉଭୟ ଗୃହରେ ବିସ୍ତୃତ ସୂଚନା ଦିଆଯାଇସାରିଛି ।