ଗାନ୍ଧୀନଗର:ଗୁଜୁରାଟର ସୁରଟ ସହରର ଜଣେ ଆସବାବପତ୍ର ବ୍ୟବସାୟୀ ନିଜ 6ଜଣ ପରିବାର ସଦସ୍ୟଙ୍କ ସହିତ ସାମୂହିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ସନ୍ଦେହ କରାଯାଉଛି । ପୋଲିସ ପହଞ୍ଚି ସମସ୍ତ 7 ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ଏବେ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ବୃଦ୍ଧ, ଦୁଇ ଯୁବକ, ଏବଂ ତିନି ଜଣ ଶିଶୁ ରହିଛନ୍ତି ।
ସୂଚନା ଅନୁସାରେ ବ୍ୟବସାୟୀ ମନୀଷ ସୋଲୋଙ୍କି ତାଙ୍କ ପରିବାର ସହ ସୁରଟର ଅଦାଜାନର ପଲାନପୁର ପଟିଆ ଅଞ୍ଚଳରେ ଥିବା ସିଦ୍ଧେଶ୍ୱର ଆପାର୍ଟମେଣ୍ଟରେ ରହୁଥିଲେ । ତାଙ୍କ ପରିବାରରେ ମୋଟ 7 ଜଣ ସଦସ୍ୟ ଥିଲେ । ପିତା କାନୁଭାଇ, ମାତା ଶୋଭାନାବେନ, ପତ୍ନୀ ରୀତା, ଦୀକ୍ଷା, କବ୍ୟା ଏବଂ କୁଶଲ ନାମକ ତିନି ସନ୍ତାନ ମଧ୍ୟ ଥିଲେ । ମନୀଷଭାଇ ଆସବାବପତ୍ର ବ୍ୟବସାୟ କରୁଥିଲେ । ସୂଚନା ଅନୁସାରେ ଏହି ବ୍ୟବସାୟୀ ଜଣକ କାହାକୁ ମୋଟା ଅଙ୍କର ଟଙ୍କା ଦେଇଥିଲେ । ମାତ୍ର ଫେରସ୍ତ ପାଇପାରିନଥିଲେ । ଏଥିରେ ସେ ନିରାଶ ହୋଇପଡିଥିଲେ । ପୁରା ପରିବାର ଅବସାଦ ମଧ୍ୟରେ ଥିଲା । ତେବେ ଏହି କାରଣରୁ ଏହି ପରିବାର ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ଅନ୍ୟ ଅନ୍ୟ ଏକ ସନ୍ଦେହ ଅନୁସାରେ, ମନୀଷଭାଇ ପରିବାର ଅନ୍ୟ 6 ସଦସ୍ୟଙ୍କୁ ବିଷାକ୍ତ ଇଞ୍ଜେକସନ ଦେବା ପରେ ନିଜେ ଆତ୍ମହତ୍ୟା କରିଥାଇ ପାରନ୍ତି । ଅନ୍ୟ ସମସ୍ତଙ୍କ 6 ଟି ମୃତଦେହ ଚଟାଣରୁ ଉଦ୍ଧାର ହୋଇଥିବା ବେଳେ ଝୁଲନ୍ତା ଅବସ୍ଥାରେ ଏହି ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।