ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ମିଳିଥିବା ଜାମିନ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଛି ନାକ୍ରୋଟିକ କଣ୍ଟ୍ରୋଲ ବ୍ୟୁରୋ । ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛି ଏନସିବି । ଏହା ଉପରେ ଗୁରୁବାର ଅର୍ଥାତ 18 ମାର୍ଚ୍ଚରେ ହେବ ଶୁଣାଣି ।
ଏନସିବି ପକ୍ଷରୁ ଦାଖଲ ମାମଲାକୁ ମୁଖ୍ୟ ବିଚାରପତି ଏସଏ ବୋବଡେଙ୍କ ନେତୃତ୍ବାଧିନ ଖଣ୍ଡପୀଠ ଶୁଣାଣି କରିବେ । ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା ଏନସିବି ।
ଗତ ବର୍ଷ ଜୁନ 14ରେ ବାନ୍ଦ୍ରାସ୍ଥିତ ଫ୍ଲାଟରୁ ମିଳିଥିଲା ସୁଶାନ୍ତ ସିଂହଙ୍କ ମୃତଦେହ । ଏହାପରେ ବଲିଉଡରେ ଡ୍ରଗ୍ସ କାରବାର ନେଇ ଆରମ୍ଭ ହୋଇଥିଲା ଯାଞ୍ଚ । 5 ମାର୍ଚ୍ଚରେ ଏନସିବି ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟରେ ଦାଖଲ କରିଥିଲା ଚାର୍ଜସିଟ । ଏଥିରେ ଅଭିନେତ୍ରୀ ରିଆଙ୍କ ସମେତ 33 ଜଣଙ୍କ ଅଭିଯୁକ୍ତ ଦର୍ଶାଯାଇଥିଲା ।
ଚାର୍ଜସିଟରେ ଏନସିବି କହିଥିଲା, ରିଆ ଚକ୍ରବର୍ତ୍ତୀ ସୁଶାନ୍ତ ସିଂହଙ୍କୁ ନିଜ ଘରେ ମାଦକ ପଦାର୍ଥ ସେବନର ଅନୁମତି ଦେଇଥିଲେ । ଏହାକୁ କିଣିବା ପାଇଁ ରିଆ ସୁଶାନ୍ତଙ୍କୁ ଟଙ୍କା ମଧ୍ୟ ଦେଇଥିବା ଅଭିଯୋଗ ରହିଥିଲା । ପରେ ଗିରଫ ହୋଇଥିଲେ ରିଆ ।