ନୂଆଦିଲ୍ଲୀ:ସର୍ବୋଚ୍ଚ ନ୍ୟାୟଳୟରେ ଆଜି (ସୋମବାର) 200ରୁ ଅଧିକ ଜନସ୍ବାର୍ଥ ମାମଲାର (Public interest litigation) ଶୁଣାଣି ହେବ । ଏଥିରେ ନାଗରିକ ସଂଶୋଧନ ଆଇନ ମଧ୍ୟ (CAA) ରହିଛି । ସମସ୍ତ ଜନସ୍ବାର୍ଥ ମାମଲାର ଶୁଣାଣି ପାଇଁ ମୋଟ 15ଟି ଖଣ୍ଡପୀଠ ବସିବ । ଦେଶର 49ତମ ପ୍ରଧାନ ବିଚାରପତି ୟୁୟୁ ଲଳିତ ଦାୟିତ୍ବ ଗ୍ରହଣ କରିବା ପରେ ସମସ୍ତ ପିଆଇଏଲ ବା ଜନସ୍ବାର୍ଥ ମାମଲାର ଶୁଣାଣି ପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ୱେବସାଇଟରେ ଏନେଇ ସୂଚନା ମିଳିବା ପରେ ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟଙ୍କ ପୀଠ ସମକ୍ଷ ଶୁଣାଣିି ପାଇଁ 220ଟି ମାମଲାର ଆବେଦନ କରାଯାଇଛି । ଯେଉଁଥିରେ CAA ବିରୋଧରେ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (IUML)ର ମୁଖ୍ୟ ଆବେଦନ ସାମିଲ ରହିଛି ।
ଆଜି ଶୁଣାଣି ହେବାକୁ ଥିବା 200ରୁ ଅଧିକ ଜନସ୍ବାର୍ଥ ମାମଲା ମଧ୍ୟରୁ 205ଟି ପ୍ରଧାନ ବିଚାରପତିଙ୍କ କୋର୍ଟରେ ରହିଛି । ଏଥିରୁ 189ଟି ପିଆଇଏଲ ବା ଜନସ୍ବାର୍ଥ ମାମଲା ନାଗରିକତା ସଂଶୋଧନ ଆଇନ (CAA)କୁ ଚ୍ୟାଲେଞ୍ଜ କରାଯାଇଛି ଯାହାର ଏକା ସଙ୍ଗରେ ଶୁଣାଣି କରାଯିବ । ଶୀର୍ଷ ଅଦାଲତରେ କିଛି ବର୍ଷ ହେବ ରହିଥିଲା ଜନସ୍ବାର୍ଥ ମାମଲାର ଶୁଣାଣି ହେବ । ସେପ୍ଟେମ୍ବର 5ରୁ 9 ମଧ୍ୟରେ ସୁପ୍ରିମକୋର୍ଟରେ ମୋଟ 152ଟି ପିଆଇଏଲର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା । ଏଥିରୁ 51ଟି ପିଏଆଇଏଲ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଖଣ୍ଡପୀଠ ଅଧୀନରେ ରହିଥିଲା । ସୁପ୍ରିମକୋର୍ଟରେ ଅନେକ ମାମଲା ବିଚାରଧୀନ ଥିବାବେଳେ ଜନସ୍ବାର୍ଥ ମାମଲା ବୃଦ୍ଧି ଚିନ୍ତାର କାରଣ ହୋଇଥିଲା ତେଣୁ ଆଜି ଏକକାଳୀନ 200ରୁ ଅଧିକ ଜନସ୍ବାର୍ଥ ମାମଲାରୁ ଶୁଣାଣି କରାଯିବାକୁ ନିଷ୍ପତ୍ତି ହୋଇଛି ।