ନୂଆଦିଲ୍ଲୀ:ଆନ୍ଧ୍ରପ୍ରଦେଶର 'ସାକ୍ଷୀ ଖବରକାଗଜ' ପ୍ରସଙ୍ଗରେ ଆନ୍ଧ୍ର ହାଇକୋର୍ଟ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ । ସାକ୍ଷୀ ଖବରକାଗଜକୁ ପ୍ରୋତ୍ସାହନ ଲାଗି ଆନ୍ଧ୍ର ସରକାରଙ୍କ ଆଦେଶନାମା(GO) ବିରୋଧରେ ତେଲୁଗୁ ଦୈନିକ ଖବରକାଗଜ ଇନାଡୁ ପକ୍ଷରୁ ଦାୟର ମାମଲାକୁ ହାଇକୋର୍ଟ ଯେଉଁଭଳି ଭାବେ ପରିଚାଳନା କରିଛନ୍ତି ତାହାକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଛନ୍ତି । 'ସାକ୍ଷୀ' ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମାଲିକାନାଧୀନ ତଥା ତାଙ୍କ ଦ୍ବାରା ନିୟନ୍ତ୍ରିତ ହେଉଥିବା ନେଇ ଇନାଡୁ ଖବରକାଗଜ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲା । ମାତ୍ର ଏହି ମାମଲାରେ ଅନ୍ତରୀଣ ଆଦେଶ ଦେବାକୁ କୋର୍ଟ ମନା କରିଦେଇଥିଲେ । ଯାହାଫଳରେ ଇନାଡୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ।
ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଆନ୍ଧ୍ର ହାଇକୋର୍ଟ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ଦିଲ୍ଲୀ ହାଇକୋର୍ଟକୁ ମାମଲା ସ୍ଥାନାନ୍ତରିତ ପାଇଁ କହିଛନ୍ତି । ଦିଲ୍ଲୀ ହାଇକୋର୍ଟ ଖଣ୍ଡପୀଠ ଏହି ମାମଲାରେ ଚୂଡାନ୍ତ ନିଷ୍ପତ୍ତି ନେବେ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶ ପରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଶୁକ୍ରବାର ଯାଏଁ ସମୟ ମାଗିଛନ୍ତି । ସୂଚନା ମୁତାବକ, ୨୦୨୦ ସେପ୍ଟେମ୍ବରରେ ଆନ୍ଧ୍ରପ୍ରଦେଶର ଜଗନ ମୋହନ ରେଡ୍ଡୀଙ୍କ ସରକାର ସରକାରୀ ଯୋଜନାର ପ୍ରଚାରପ୍ରସାର ପାଇଁ କିଛି ସ୍ବେଚ୍ଛାସେବୀ ନିଯୁକ୍ତ କରିଥିଲେ । ପ୍ରାୟ ୨.୫୬ ଲକ୍ଷ ସ୍ବେଚ୍ଛାସେବୀ ନିଯୁକ୍ତ କରାଯାଇଥିଲା ।
ଏହାପରେ ୨୦୨୨ ଜୁନରେ ଆନ୍ଧ୍ରପ୍ରଦେଶ ସରକାର ଦୁଇଟି ସରକାରୀ ନିର୍ଦ୍ଦେଶ(GO) ପାରିତ କରିଥିଲେ । ଯେଉଁଥିରେ ଗ୍ରାମ ତଥା ୱାର୍ଡର ସେହି ୨.୫୬ ଲକ୍ଷ ସ୍ବେଚ୍ଛାସେବୀଙ୍କୁ ସେମାନଙ୍କର ମାସିକ ୫୦୦୦ ହଜାର ଦରମା ବ୍ୟତୀତ ଗୋଟିଏ ନିର୍ଦ୍ଧିଷ୍ଟ ଖବରକାଗଜ କିଣିବା ପାଇଁ ଅତିରିକ୍ତ ୨୦୦ ଟଙ୍କା ପ୍ରଦାନ କରାଯିବାକୁ ବ୍ୟବସ୍ଥା ଥିଲା । ଏହାପରେ ଗତବର୍ଷ ଡିସେମ୍ବରରେ ୧.୪୫ ଲକ୍ଷ ସ୍ବେଚ୍ଛାସେବୀଙ୍କୁ ୨୦୦ ଟଙ୍କା ଅର୍ଥରାଶି ପ୍ରଦାନ ମଞ୍ଜୁର କରିବାକୁ ଅନ୍ୟ ଏକ GO ପାରିତ ହୋଇଥିଲା । ରାଜ୍ୟ ସରକାରଙ୍କ ଏହି ଦୁଇଟି ଆଦେଶକୁ ଚଳିତ ବର୍ଷ ଫେବୃଆରୀରେ ଇନାଡୁ ଖବରକାଗଜ ଆନ୍ଧ୍ର ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ।