ନୂଆଦିଲ୍ଲୀ:ବିରୋଧୀ ଦଳଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି (CBI) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପରି ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ହେଉଥିବା ଅଭିଯୋଗ କରି କଂଗ୍ରେସ ସମେତ ୧୪ ରାଜନୈତିକ ଦଳ ଦାଖଲ କରିଥିବା ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ । କୋର୍ଟଙ୍କ ଏହି ରାୟ ପରେ ବିରୋଧୀ ଦଳ ଆବେଦନ ପ୍ରତ୍ୟାହାର କରିନେଇଛନ୍ତି । ନେତାଙ୍କ ପାଇଁ ଅଲଗା ନିର୍ଦ୍ଦେଶାବଳୀ ତିଆରି ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଦାଖଲ ହୋଇଥିବା ପିଟିସନରେ ଉଲ୍ଲେଖ କରାଯାଇଥିଲା ଯେ, କେନ୍ଦ୍ର ସରକାର ଯାଞ୍ଚ ଏଜେନ୍ସି ଗୁଡ଼ିକର ଦୂରୁପଯୋଗ କରି ବିରୋଧୀ ଦଳର ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । କେନ୍ଦ୍ରୀୟ ଏଜେନ୍ସି ଜରିଆରେ ବିରୋଧୀ ନେତାମାନଙ୍କୁ ଟାର୍ଗେଟ କରାଯାଉଥିବା ବିରୋଧୀ ଦଳ ଅଭିଯୋଗ କରିଥିଲେ । ଏଜେନ୍ସି ଗୁଡ଼ିକର ତଦନ୍ତ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ନିର୍ଦ୍ଦେଶାବଳୀ ଜାରି କରନ୍ତୁ ବୋଲି ବିରୋଧୀ ଦଳ ଦାବି କରିଥିଲେ । ତେବେ ବୁଧବାର ବିରୋଧୀ ଦଳଙ୍କ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ, ୨୦୧୩-୧୪ରୁ ୨୦୧୧-୨୨ ପର୍ଯ୍ୟନ୍ତ ସିବିଆଇ ଏବଂ ଇଡି ମାମଲାରେ ୬୦୦ ପ୍ରତିଶତ ବୃଦ୍ଧି ଘଟିଛି । ଇଡି ଦ୍ବାରା ଅନୁସନ୍ଧାନ କରାଯାଇଥିବା ୧୨୧ ନେତାଙ୍କ ମଧ୍ୟରୁ ୯୫ ପ୍ରତିଶତ ବିରୋଧୀ ଦଳର ନେତା ରହିଛନ୍ତି । ସେହିପରି ସିବିଆଇ ଦ୍ବାରା ତଦନ୍ତ ପରିସରଭୁକ୍ତ ହୋଇଥିବା ୧୨୪ ନେତାଙ୍କ ମଧ୍ୟରୁ ୯୫ ପ୍ରତିଶତରୁ ଊର୍ଦ୍ଧ୍ବ ବିରୋଧୀ ଦଳର ନେତା ରହିଛନ୍ତି ।