ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଗୁଜୁରାଟ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା (Bilkis Bano gang rape case)। 11 ଦୋଷୀଙ୍କୁ ଛାଡ ବିରୋଧରେ କରାଯାଇଥିବା ଆବେଦନର ଉପରେ ଆଜି ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିରେ ଏହି 11 ଦୋଷୀଙ୍କୁ ଜେଲରୁ ଖଲାସ କରାଯାଇଥିବା ବେଳେ ଏହାକୁ ବିରୋଧ କରି ସର୍ବୋଚ୍ଚ କୋର୍ଟରେ ମାମଲା ଦାଖଲ ହୋଇଥିଲା । ଏହା ବିରୋଧରେ ନଭେମ୍ବର 30 ତାରିଖରେ ବାନୋ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯାହାର ଶୁଣାଣି ଆଜି ହେବାକୁ ଯାଉଛି ।
ଦୁଷ୍କର୍ମୀମାନଙ୍କୁ ଜେଲରୁ ଛଡାଯିବା ପରେ କିଛି ନିର୍ଦ୍ଦିଷ୍ଟ ଧର୍ମର ସଂଗଠନ ସେମାନଙ୍କୁ ସ୍ବାଗତ କରିଥିଲେ । ଯାହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା ମଧ୍ୟ କରାଯାଇଥିଲା । ଜଣେ ଦୋଷୀ କରିଥିବା କ୍ଷମା ଆବେଦନ ନେଇ ବିଚାର କରିବାକୁ ସର୍ବୋଚ୍ଚ କୋର୍ଟ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । 1992 କ୍ଷମାନୀତି (1992 remission policy) ଆଧାରରେ ଗୁଜୁରାଟ ସରକାର ଏହି ଆବେଦନର ନିଷ୍ପତ୍ତି ନେଇ ପାରିବେ ବୋଲି ସର୍ବୋଚ୍ଚ କୋର୍ଟ କହିଥିଲେ । ସର୍ବୋଚ୍ଚ କୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ଗୁଜୁରାଟ ସରକାର ସମସ୍ତ 11 ଦୋଷୀଙ୍କୁ ଜେଲରୁ ମୁକ୍ତ କରିଥିଲେ । ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ କହିବା ସହ ଦୁଖଃପ୍ରକାଶ କରିଥିଲେ ବାନୋ ।