ପ୍ରତିପକ୍ଷଙ୍କୁ ‘ସୁପ୍ରିମ’ ଝଟକା, ଜାରି ରହିବ ASI ସର୍ଭେ ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ପରିସରରେ (ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ) ଏଏସଆଇର ସର୍ଭେ ଜାରି ରହିବ । ପୁରା ପରିସରର ସର୍ଭେ କରିବ ଏଏସଆଇ । ସର୍ଭେ ସମୟରେ ଯେପରି ମୂଳ ଢାଞ୍ଚାକୁ କୌଣସି କ୍ଷତି ପହଞ୍ଚିବ ନାହିଁ । ସର୍ଭେ ରିପୋର୍ଟକୁ ବନ୍ଦ ଲଫାପାରେ ଦାଖଲ ହେବ । ଜ୍ଞାନବ୍ୟାପୀ ସର୍ଭେ ପ୍ରସଙ୍ଗରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ବିରୋଧ କରି ଅଞ୍ଜୁମନ ଇନ୍ତେଜାମିଆ ମସଜିଦ କମିଟିର ପିଟିସନ ଉପରେ ଶୁଣାଣି କରି ଏଭଳି ନିର୍ଦ୍ଦେଶନାମା ଦେଇଛନ୍ତି ସୁପ୍ରମକୋର୍ଟ ।
ଏହାବି ପଢନ୍ତୁ- ଜ୍ଞାନବ୍ୟାପୀ ମସଜିଦ ମାମଲା: ହାଇକୋର୍ଟଙ୍କ ରାୟ ପରେ ASI ସର୍ଭେ ଆରମ୍ଭ
ଗତକାଲି ଜ୍ଞାନବ୍ୟାପୀ ପରିସରର ସର୍ଭେ ପ୍ରସଙ୍ଗରେ ଆହ୍ଲାବାଦ ହାଇକୋର୍ଟ ଏଏସଆଇ ସର୍ଭେ ନେଇ ଜିଲ୍ଲା କୋର୍ଟଙ୍କ ରାୟକୁ କାଏମ ରଖିବା ସହ ସର୍ଭେ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅଞ୍ଜୁମନ ଇନ୍ତେଜାମିଆ ମସଜିଦ କମିଟି ସର୍ବୋଚ୍ଚ ଅଦଲାତଙ୍କ ଦ୍ବାରସ୍ଥ ହୋଇଥିଲା । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିଥିଲେ । ପରେ ସୁପ୍ରିମକୋର୍ଟ ଏଏସଆଇ ସର୍ଭେ ଜାରି ରହିବ ବୋଲି ନିର୍ଦ୍ଦେଶନାମା ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଏଏସଆଇ ସର୍ଭେ ଦ୍ବାରା ମୂଳ ଢାଞ୍ଚାର କୌଣସି କ୍ଷତି ହେବ ନାହିଁ । ସର୍ଭେ ରିପୋର୍ଟକୁ ବନ୍ଦ ଲଫାପାରେ ରଖିବାକୁ ଆମେ ଏଏସଆଇକୁ ନିର୍ଦ୍ଦେଶ ଦେବୁ ।
ସେପଟେ ଗୁରୁବାର ଆହ୍ଲାବାଦ ହାଇକୋର୍ଟ ଜ୍ଞାନବ୍ୟାପୀ ପରିସରର ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ (ASI) ପକ୍ଷରୁ ସାଇଣ୍ଟିଫିକ ସର୍ଭେ ପାଇଁ ଅନୁମତି ଦେବା ପରେ ଆଜି (ଶୁକ୍ରବାର) ସକାଳୁ ଏଏସଆଇ ଟିମ ବାରଣାସୀ ସ୍ଥିତ ଜ୍ଞାନବ୍ୟାପୀ ପରିସରରେ ସର୍ଭେ ଜାରି ରଖିଛନ୍ତି । କଡା ସୁରକ୍ଷା ମଧ୍ୟରେ ସର୍ଭେ କାର୍ଯ୍ୟ ଜାରି ରହିଛି । ସପ୍ତଦଶ ଶତାବ୍ଦୀର ଏହି ଢାଞ୍ଚାକୁ ନେଇ ଏବେ ହିନ୍ଦୁ ପକ୍ଷ ଓ ମୁସଲିମ ପକ୍ଷ ମଧ୍ୟରେ ଆଇନଗତ ଲଢେଇ ଆରମ୍ଭ ହୋଇଛି । ଯାହାକୁ ନେଇ ଏବେ ଏଏସଆଇ ସର୍ଭେ ଆରମ୍ଭ ହୋଇଛି । ସର୍ଭେ ହେଲେ ଜ୍ଞାନବ୍ୟାପୀ ବିବାଦର ଅନ୍ତ ହେବ ବୋଲି କୁହାଯାଉଛି । ହିନ୍ଦୁ ପକ୍ଷର ଦାବି ଜ୍ଞାନବ୍ୟାପୀ ମସଜିଦ ନୁହେଁ ମନ୍ଦିର । ମନ୍ଦିରକୁ ଧ୍ବସ୍ତ କରି ମସଜିଦ ନିର୍ମାଣ ହୋଇଛି । ମୁସଲିମ ପକ୍ଷର ଦାବି ହେଉଛି ଏହା ମସଜିଦ । ହିନ୍ଦୁ ପକ୍ଷକାର ମାନେ ଏନେଇ ଜ୍ଞାନବ୍ୟାପୀ ପରିସରରେ ଥିବା ଶୁଙ୍ଗାରଗୌରୀଙ୍କ ପୂଜାର୍ଚ୍ଚନା ପାଇଁ ଦାବି କରିଛନ୍ତି । ଯାହାର ଶୁଣାଣି ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ହେବ ।
ଏହାବି ପଢନ୍ତୁ- ASI survey: ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ମୁସଲିମ ପକ୍ଷ
ସୂଚନାଯୋଗ୍ୟଯେ ବାରଣାସୀର କାଶୀ ବିଶ୍ବନାଥ ମନ୍ଦିର ପାର୍ଶ୍ବରେ ଥିବା ଜ୍ଞାନବ୍ୟାପୀ ପରିସରରକୁ ନେଇ ଉଭୟ ପକ୍ଷ ମଧ୍ୟରେ ଦାବି ହେବା ପରେ ମାମଲା କୋର୍ଟରେ ପହଞ୍ଚିଥିଲା । ବାରଣାସୀ ଜିଲ୍ଲା କୋର୍ଟ ମସଜିଦ ପରିସରରେ ଏଏସଆଇ ସର୍ଭେ ପାଇଁ ଅନୁମତି ଦେଇଥିଲେ । ହେଲେ ସର୍ଭେ ହେଲେ ମସଜିଦ କମ୍ପ୍ଲେକ୍ସ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦର୍ଶାଇ ଅଞ୍ଜୁମନ ଇନ୍ତେଜାମିଆ ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ହାଇକୋର୍ଟ ଗତକାଲି ରାୟରେ ଜିଲ୍ଲା କୋର୍ଟଙ୍କ ରାୟ କାଏମ ରଖିଥିଲେ । ମସଜିଦ କମିଟି ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲା ।